କନକ ବ୍ୟୁରୋ: ବିଶ୍ୱକପରେ ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା । ବେକାର ଗଲା ବାଂଲାଦେଶ ବ୍ୟାଟର ମହମ୍ମୁଦୁଲ୍ଲାଙ୍କ ଶତକୀୟ ଇନିଂସ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭରୁ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ମହମ୍ମଦୁଲ୍ଲା ଏକମାତ୍ର ବ୍ୟାଟର ଯିଏକି ଦଳ ପାଇଁ ବ୍ୟକ୍ତିଗତ ଭାବେ ଶତକ ହାସଲ କରିଥିଲେ । ଆଗ ଓ ପଛଧାଡ଼ିର ବ୍ୟାଟରମାନେ ଜଣଙ୍କ ପରେ ଜଣେ ଆଉଟ୍ ହୋଇ ପାଭଲିନ ଫେରି ଯାଉଥିବା ବେଳେ ମହମ୍ମଦୁଲ୍ଲା ସ୍ଥିର ଓ ଉପସ୍ଥିତ ବୁଦ୍ଧି ଲଗାଇ ବ୍ୟାଟିଂ ଜାରି ରଖିଥିଲେ । ସେ ୧୧୧ଟି ବଲ୍ ଖେଲି ୧୧ଟି ଚୌକା ଓ ୪ଟି ଛକା ମାରି ସ୍କୋର ୧୧୧ ରନ୍ କରିଥିଲେ । ଦଳର ସ୍କୋର ୪୨ ରନ୍ ବେଳକୁ ବାଂଲାଦେଶର ଆଗଧାଡ଼ିର ୪ ଜଣ ଖେଳାଳି ଆଉଟ୍ ହୋଇସାରିଥିଲେ । ପ୍ରାରମ୍ଭିକ ବ୍ୟାଟର ତନଜିତ୍ ହାସନ ୧୭ଟି ବଲ୍ ଖେଳି ଗୋଟିଏ ଚୌକା ବଳରେ ୧୨ ରନ୍ ସଂଗ୍ରହ କରିଥିଲେ । ଲିଟନ୍ ଦାସ ବ୍ୟକ୍ତିଗତ ଭାବେ ୨୨ ରନ୍ ଯୋଡ଼ିଥିଲେ ।

Advertisment

ବାଂଲାଦେଶ ଟିମ୍ ୪୬.୪ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ଖେଳି ଅଲ ଆଉଟ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଠାରୁ ୧୪୯ ରନ୍ରେ ପରାସ୍ତ ହୋଇଛି । ଏଥି ସହିତ ଦକ୍ଷିଣ ଆଫ୍ରିକା ପଏଂଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଥମରେ ଭାରତ ଥିବା ବେଳେ ତୃତୀୟ ଓ ଚତୁର୍ଥରେ ଯଥାକ୍ରମେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଅଛନ୍ତି । ଆଜି ଅଷ୍ଟ୍ରେଲିଆ ନେଦରଲ୍ୟାଣ୍ଡ ମୁକାବିଲା ରହିଛି ।