ଟି-୨୦ ବିଶ୍ୱକପ : ଆଫଗାନିସ୍ତାନକୁ ମାତ୍ ଦେଇ ଫାଇନାଲରେ ଦକ୍ଷିଣ ଆଫ୍ରିକା । ମାତ୍ର ୯ ଓଭରରେ ବିଜୟଲକ୍ଷ୍ୟ ହାସଲ କଲା ମାରକ୍ରମ ବାହିନୀ । 

467

କନକ ବ୍ୟୁରୋ : ଟି-୨୦ ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକା । ଆଫଗାନିସ୍ତାନକୁ ୯ ୱିକେଟରେ ମାତ୍ ଦେଇ ଫାଇନାଲ ଟିକେଟ ହାତେଇଛି ଦକ୍ଷିଣ ଆଫ୍ରିକା ।ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଏହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ମାତ୍ର ୫୬ ରନରେ ଦଳ ଅଲଆଉଟ ହୋଇଥିଲା । ଆଫଗାନିସ୍ତାନର ଜଣେ ଖେଳାଳୀଙ୍କୁ ଛାଡିଦେଲେ କୌଣସି ଖେଳାଳୀ ୨ ଅଙ୍କ ସ୍କୋର କରିବାରେ ମଧ୍ୟ ସଫଳ ହୋଇନଥିଲେ । ଅନ୍ୟପଟେ ମାତ୍ର ୫୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ୧ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା ।

ଅଷ୍ଟ୍ରେଲିଆ, ବାଂଲାଦେଶ ଭଳି ଦଳକୁ ହରାଇ ସେମିଫାଇନାଲ ଟିକେଟ ହାତେଇଥିବା ଆଫଗାନିସ୍ତାନ ପୂର୍ବ ପ୍ରଦର୍ଶନ ଦୋହରାଇବାରେ ବିଫଳ ହୋଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ଦମଦାର ପ୍ରଦର୍ଶନ କରିବ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଥିବା ବେଳେ ଏହା ମାତ୍ର କେଇ ଘଣ୍ଟା ମଧ୍ୟରେ ମଉଳି ଯାଇଥିଲା । ଅନ୍ୟପଟେ ଆଫଗାନିସ୍ତାନ ବିପକ୍ଷରେ ବଡ ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଫାଇନାଲରେ ଭେଟିବ । ଦ୍ୱିତୀୟ ସେମିଫାଇନାଲ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ବିଜୟୀ ଟିମ୍ ଦକ୍ଷିଣ ଆଫ୍ରିକା ସହ ୨୯ ଜୁନରେ ଫାଇନାଲ ମୁକାବିଲା ଖେଳିବ ।