କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଜେଡ୍ କାଟାଗୋରୀ ସୁରକ୍ଷା ଦିଆଯାଇଛି । ପଶ୍ଚିମବଙ୍ଗର ମମତା ସରକାର ସୌରଭଙ୍କ ସୁରକ୍ଷାକୁ ବଢାଇବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ଗାଙ୍ଗୁଲିଙ୍କୁ ୱାଇ କାଟାଗୋରୀ ସୁରକ୍ଷା ମିଳୁଥିଲା । କିନ୍ତୁ ଏହାର ଅବଧି ଶେଷ ହେବା ପରେ ଗାଙ୍ଗୁଲିଙ୍କୁ ଆହୁରି ଅଧିକ ସୁରକ୍ଷା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।
ମଙ୍ଗଳବାର ମମତା ସରକାର ଗାଙ୍ଗୁଲିଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ମିଳୁଥିବା ସୁରକ୍ଷାର ଅବଧି ଶେଷ ହେବା ପରେ ପ୍ରୋଟୋକଲ ଅନୁଯାୟୀ ଏହାର ସମୀକ୍ଷା କରାଯିବା ପରେ ଜେଡ୍ କାଟାଗୋରୀ ସୁରକ୍ଷା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଏବେ ଗାଙ୍ଗୁଲିଙ୍କ ସହ ୮ରୁ ୧୦ ଜଣ ପୋଲିସକର୍ମୀ ରହିବେ । ଏହାପୂର୍ବରୁ ଗାଙ୍ଗୁଲିଙ୍କୁ ମିଳୁଥିବା ୱାଇ କାଟାଗୋରୀରେ ସ୍ପେଶାଲ ପୋଲିସ ଫୋର୍ସର ୩ ଜଣ ପୋଲିସକର୍ମୀ ଓ ୨ ଜଣ ସୁରକ୍ଷାକର୍ମୀ ତାଙ୍କ ବାସଭବନରେ ସୁରକ୍ଷାରେ ନିୟୋଜିତ ରହୁଥିଲେ । ଏବେ ଗାଙ୍ଗୁଲି ଆଇପିଏଲ ଟିମ୍ ଦିଲ୍ଲୀ ଡେୟାର ଡେଭିଲ୍ସ ସହ ରହିଛନ୍ତି । ଆସନ୍ତା ସପ୍ତାହରେ ସେ କୋଲକାତାକୁ ଫେରିବେ । କୋଲକାତା ଫେରିବା କ୍ଷଣି ତାଙ୍କୁ ଜେଡ୍ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯିବ । ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ, ରାଜ୍ୟପାଳ ସିବି ଆନନ୍ଦ ବୋଷ, ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଜେଡ୍ ପ୍ଲସ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଉଛି । ସେହିଭଳି ରାଜ୍ୟର କିଛି ମନ୍ତ୍ରୀଙ୍କୁ ଜେଡ୍ କାଟାଗୋରୀ ସୁରକ୍ଷା ଦିଆଯାଉଛି ।
Follow Us