ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହେବେ ବିସିସିଆଇ ସଭାପତି । ଅମିତ ଶାହାଙ୍କ ପୁଅ ଜୟ ଶାଙ୍କୁ ମିଳିବ ସମ୍ପାଦକ ଦାୟିତ୍ୱ, ଆନୁଷ୍ଠାନିକ ଘୋଷଣା ବାକି ।

1,217

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି ହେବେ ବିସିସିଆଇର ପରବର୍ତ୍ତୀ ସଭାପତି । ଏଥିପାଇଁ ରାସ୍ତା ପରିସ୍କାର ହୋଇଥିବା ଜଣାପଡିଛି । ସେହିପରି କର୍ଣ୍ଣାଟକର ବ୍ରିଜେଶ ପଟେଲ ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଚେୟାରମ୍ୟାନ ରହିପାରନ୍ତି । ସମ୍ପାଦକ ଦାୟିତ୍ୱ ତୁଲାଇବେ ଅମିତ ଶାହାଙ୍କ ପୁଅ ଜୟ ଶାହା । ଅରୁଣ ସିଂହ ଠାକୁର ଟ୍ରେଜରର ରହିବେ । ତେବେ କିଛି ଦିନ ମଧ୍ୟରେ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇପାରେ ।

ଭାରତର ଅନ୍ୟତମ ସଫଳ କ୍ରିକେଟ ଅଧିନାୟକ ଭାବେ ପରିଚିତ ୪୭ ବର୍ଷୀୟ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ସଂଘର ସଭାପତି ଅଛନ୍ତି । ସେଥିପାଇଁ ମାତ୍ର ୧୦ ମାସ ପର୍ଯ୍ୟନ୍ତ ବିସିସିଆଇର ସଭାପତି ପଦରେ ସେ ରହିପାରିବେ । ସଭାପତି ପଦ ଦୌଡରେ ପୂର୍ବତନ କ୍ରିକେଟର ବ୍ରିଜେଶ ପଟେଲ ମଧ୍ୟ ଥିଲେ । ବିସିସିଆଇର ପୂର୍ବତନ ସଭାପତି ଏନ ଶ୍ରୀନିବାସନଙ୍କ ସହଯୋଗରେ ସେ ଗତ ୨ସପ୍ତାହ ହେବ ସମର୍ଥନ ଯୋଗାଡରେ ଲାଗି ପଡିଥିଲେ । ହେଲେ ଅଧିକାଂଶ ସଦସ୍ୟ ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଥିଲେ । ଅନ୍ୟପକ୍ଷରେ ଗାଙ୍ଗୁଲିଙ୍କୁ ପୂର୍ବାଂଚଳ ସହ ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟ ସମର୍ଥନ କରିଥିଲେ । ବ୍ରିଜେଶ ଶେଷ ଯାଏଁ ମୁଖ୍ୟ ଦାବେଦାର ଥିଲେ । ଶେଷରେ କିନ୍ତୁ ଗାଙ୍ଗୁଲି ବାଜି ମାରିନେଲେ । ତେବେ ବ୍ରିଜେଶଙ୍କୁ ଖୁସି କରିବା ଲାଗି ତାଙ୍କୁ ଆଇପିଏଲ ଅଧ୍ୟକ୍ଷ ପଦ ଦିଆଯାଇପାରେ ।