ଟି-୨୦ ଅଧିନାୟକ ପଦ କୋହଲି ଛାଡିବା ପରେ ମୁହଁ ଖୋଲିଲେ ସୌରଭ ଗାଙ୍ଗୁଲି । କହିଲେ କିଛି ଏମିତି କଥା… ।

373

କନକ ବ୍ୟୁରୋ : ବୁଧବାର ସନ୍ଧ୍ୟାରେ ବିରାଟ ଟି-୨୦ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିବା ପରେ କ୍ରିକେଟପ୍ରେମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଟି-୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ କୋହଲି । ଏଭଳି ଅଚାନକ ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ଟି-୨୦ରେ ଅଧିନାୟକ ଭାବେ କୋହଲି ଦମଦାର ପ୍ରଦର୍ଶନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଗାଙ୍ଗୁଲି । ଏପରିକି ଭବିଷ୍ୟତର ରୋଡମ୍ୟାପକୁ ଦୃଷ୍ଟିରେ ରଖି କୋହଲି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଗାଙ୍ଗୁଲି ।

କୋହିଲଙ୍କ ଘୋଷଣା ପରେ ବିସିସିଆଇ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା । ଯେଉଁଥିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଟିମ୍ ଇଣ୍ଡିଆର ମୂଲ୍ୟବାନ ଖେଳାଳୀ ଭାବେ ବିରାଟ ଜଣାଶୁଣା । ସବୁ ଫର୍ମାଟରେ ବିରାଟ ଜଣେ ସଫଳ ଅଧିନାୟକ । ଏପରିକି ଅଧିନାୟକ ଭାବେ କୋହଲି ଦମଦାର ପ୍ରଦର୍ଶନ ମଧ୍ୟ କରିଛନ୍ତି । କିନ୍ତୁ ଏଭଳି ନିଷ୍ପତ୍ତି ଭବିଷ୍ୟତର ରୋଡମ୍ୟାପକୁ ଦୃଷ୍ଟିରେ ରଖି ନିଆଯାଇଛି । ଦମଦାର ପ୍ରଦର୍ଶନ ପାଇଁ ଧନ୍ୟବାଦ ଦେବା ସହ ଆଗାମୀ ବିଶ୍ୱକପ ପାଇଁ ଶୁଭକାମନା ଜଣାଇଛନ୍ତି । ଏପରିକି ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ ଅଧିକରୁ ଅଧିକ ରନ୍ କରନ୍ତୁ ବୋଲି କହିଛନ୍ତି ଗାଙ୍ଗୁଲି ।

ଅନ୍ୟପଟେ ବିସିସିଆଇ ସଂପାଦକ ଜୟ ଶାହା କହିଛନ୍ତି, ଗତ ୬ ମାସ ହେବ କୋହଲି ଓ ଅନ୍ୟ ଶୀର୍ଷ ଖେଳାଳୀଙ୍କ ସହ ଆଲୋଚନା ହେଉଛି । ଟିମ୍ ଇଣ୍ଡିଆର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ରହିଛି । ଅଧିକ ଖେଳ ଚାପ ଯୋଗୁଁ ଆଗାମୀ ଟି-୨୦ ବିଶ୍ୱକପ୍ ପରେ ଟି-୨୦ରୁ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି କୋହଲି । ଜଣେ ଖେଳାଳୀ ତଥା ଟିମର ସବୁଠୁ ଅନୁଭବୀ ସଦସ୍ୟ ଭାବେ ଭାରତୀୟ କ୍ରିକେଟର ଭବିଷ୍ୟତକୁ ସଫଳତାର ଶିଖରରେ ପହଞ୍ଚାଇବା ପାଇଁ କୋହଲିଙ୍କ ଯୋଗଦାନ ଜାରି ରହିବ ।

୨୦୧୭ରେ କୋହଲି ଟି-୨୦ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଟି-୨୦ରେ କୋହଲିଙ୍କ ରେକର୍ଡ ମଧ୍ୟ ବେଶ ଦମଦାର ରହିଛି । ବିରାଟଙ୍କ ନେତୃତ୍ୱରେ ୪୫ଟି ଟି-୨୦ ମୁକାବିଲାରୁ ଭାରତ ୨୭ଟି ବିଜୟୀ ହୋଇଥିବା ବେଳେ ୧୪ଟି ପରାଜିତ ହୋଇଛି । ସେହିଭଳି ୪ଟି ମ୍ୟାଚରେ କୌଣସି ଫଳାଫଳ ମିଳିପାରିନାହିଁ ।