କନକ ବ୍ୟୁରୋ : ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଭାରତ ବିଶ୍ୱକପ୍ ଫାଇନାଲ ଖେଳିବାକୁ ଯାଉଛି । ୨୦ ବର୍ଷ ପରେ ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମହା ମୁକାବିଲା ଖେଳାଯିବ । ଯାହା ଉପରେ ପୂରା ବିଶ୍ୱର ନଜର ରହିବ । କିଏ ହେବ ବିଶ୍ୱକପ ବିଜେତା ତାହାକୁ ନେଇ ଏବେଠୁ ବଡ ବଡ କ୍ରିକେଟର ଭବିଷ୍ୟବାଣୀ କରିବା ଆରମ୍ଭ କଲେଣି । ଉଭୟ ଟିମ୍ ବେଶ ଶକ୍ତିଶାଳୀ ଥିବା ବେଳେ ବିଶ୍ୱବିଜୟୀ କିଏ ହେବ ସେନେଇ ଆଗୁଆ ଆକଳନ କରିବା କାଠିକର ପାଠ । କିନ୍ତୁ ଏସବୁ ସତ୍ତେ୍ୱ ମଧ୍ୟ ବିଶ୍ୱକପର ଫାଇନାଲକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ।

Kanak News is now on WhatsApp
Join and get latest news updates delivered to you via WhatsApp
କ୍ରିକେଟ ଜଗତରେ ଦାଦା ଭାବେ ଜଣାଶୁଣା ଗାଙ୍ଗୁଲି ଫାଇନାଲ ପୂର୍ବରୁ କହିଛନ୍ତି, ରୋହିତ ବାହିନୀ ଏହି ମହାମୁକାବିଲା ଜିତିବାକୁ ଯାଉଛି । ଭାରତ ବିଶ୍ୱକପର ଅତି ନିକଟତର ହୋଇଛି । ସେମିଫାଇନାଲରେ ଯେଉଁଭଳି ପ୍ରଦର୍ଶନ ଟିମ୍ ଇଣ୍ଡିଆ କଲା ତାହାର ପୁନରାବୃତ୍ତି ଯଦି ଫାଇନାଲରେ କରିବେ ତେବେ ଭାରତର ବିଜୟ ନିଶ୍ଚିତ । ରୋହିତ ବାହିନୀ ଏବେ ଜବରଦସ୍ତ ଫର୍ମରେ ରହିଛି । ଫାଇନାଲ ପାଇଁ ଭାରତକୁ ଶୁଭେଚ୍ଛା ଜଣାଇବା ସହ ଗାଙ୍ଗୁଲି କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବେଶ ଭଲ ଖେଳିଛି । ଭାରତର ବିଶ୍ୱକପ ବିଜୟ ବାଟରେ କେବଳ ଗୋଟିଏ ମ୍ୟାଚ୍ ଓ ଅଷ୍ଟ୍ରେଲିଆ ରହିଛି । ପୂର୍ବ ମ୍ୟାଚ୍ ଭଳି ଭାରତ ପ୍ରଦର୍ଶନ ଜାରି ରଖିଲେ ବିଶ୍ୱକପ ବିଜୟୀ ହେବାରୁ କେହି ଅଟକାଇ ପାରିବେନି । କିନ୍ତୁ ଅଷ୍ଟ୍ରେଲିଆ ମଧ୍ୟ ବେଶ ଶକ୍ତିଶାଳୀ ଦଳ । ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ।
ଏହାପୂର୍ବରୁ ୨୦ ବର୍ଷ ତଳେ ଯେତେବେଳେ ଭାରତ-ଅଷ୍ଟ୍ରେଲିଆ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ସେତେବେଳେ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି । ଭାରତ ଏହି ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । କିନ୍ତୁ ଏଥର ଭାରତ ବିଶ୍ୱକପ ଜିତିବ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି । ଚଳିତ ବିଶ୍ୱକପରେ ଭାରତ ଏବେଯାଏଁ ଅପରାଜେୟ ରହି ଫାଇନାଲରେ ଏଣ୍ଟ୍ରି କରିଛି । ଲିଗ୍ ପର୍ଯ୍ୟାୟରେ ୯ରୁ ୯ ମ୍ୟାଚ୍ ଜିତି ଭାରତ ସେମିଫାଇନାଲରେ ପ୍ରବେଶ କରିଥିଲା । ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ୨୦୧୯ ବିଶ୍ୱକପର ପ୍ରତିଶୋଧ ନେବା ସହ ଫାଇନାଲରେ ଏଣ୍ଟ୍ରି କରିଛି ରୋହିତ ବାହିନୀ । ହୋମଗ୍ରାଉଣ୍ଡରେ ଖେଳାଯାଉଥିବାରୁ ଭାରତ ପାଖରେ ବିଶ୍ୱକପ ବିଜେତା ହେବାକୁ ସୁବର୍ଣ୍ଣ ସୁଯୋଗ ରହିଛି ।
ଏହାସହ ଗାଙ୍ଗୁଲି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି । ସଚିନଙ୍କ ଶତକ ରେକର୍ଡ ଭାଙ୍ଗିବାକୁ ନେଇ ଗାଙ୍ଗୁଲି କହିଛନ୍ତି, ମୋତେ ଲାଗୁଛି ବିରାଟଙ୍କର ଏହି ରେକର୍ଡ ଆଉ କେହି ଭାଙ୍ଗିପାରିବେନି । ଏବେ କୋହଲିଙ୍କୁ ମାତ୍ର ୩୫ ବର୍ଷ ହୋଇଛି । କୋହଲି ଆଉ କିଛି ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଖେଳିବେ । ଏହି ସମୟରେ କୋହଲି ଆଉ କିଛି ରେକର୍ଡର ଅଧିକାରୀ ହୋଇପାରିବେ ।