ବିରାଟଙ୍କ କ୍ୟାପଟେନ୍ ଛାଡିବା ଘଟଣାକୁ ନେଇ ଏମିତି କହିଲେ ଗାଙ୍ଗୁଲି…’ଆମ ପଟରୁ ନଥିଲା କିଛି ବି ଚାପ’ ।

216

କନକ ବ୍ୟୁରାେ: ଟି-୨୦ ବିଶ୍ୱକପ୍ ପରେ ଟି-୨୦ ମ୍ୟାଚରେ ଆଉ ଭାରତର ନେତୃତ୍ୱ ନେବେନି ଅଧିନାୟକ ବିରାଟ କୋହଲି । ଏନେଇ ସେ କିଛି ଦିନ ତଳେ ଘୋଷଣା କରିଥିଲେ । ଆଉ ଆଜି ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲିଙ୍କ କହିବା ମୁତାବକ, ବିରାଟଙ୍କ ଏହି ନିଷ୍ପତ୍ତି ତାଙ୍କୁ ମଧ୍ୟ ଆଶ୍ଚଯ୍ୟ କରିଥିଲା ।

ଖାଲି ସେତିକି ନୁହେଁ, ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ସମୟ ଧରି ଏନେଇ କୌଣସି ଚର୍ଚ୍ଚା ହୋଇନଥିଲା । ହେଲେ ଇଂଲଣ୍ଡ ଗସ୍ତ ପରେ ବିରାଟ ଏନେଇ ନିଷ୍ପତ୍ତି ନେଇଥିଲେ । ଯାହାକି ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା । ତେବେ ବିସିସିଆଇ ତରଫରୁ ଅଧିନାୟକ ପଦ ଛାଡିବା ନେଇ ବିରାଟଙ୍କ ଉପରେ କୌଣସି ଚାପ ନଥିଲା ବୋଲି ସେ କହିଛନ୍ତି ।

ସେହିପରି ବିରାଟଙ୍କ ଫର୍ମକୁ ନେଇ ମଧ୍ୟ ଗାଙ୍ଗୁଲି କହିଛନ୍ତି, ସେ ବି ମଣିଷ , ମେସିନ୍ ନୁହଁନ୍ତି । ବିରାଟ ସବୁଥର ଶତକ ମାରିପାରିବେ ନାହିଁ । ସବୁବେଳେ ଫର୍ମ ବ୍ୟାଟ୍ସମ୍ୟାନଙ୍କ ସହିତ ରୁହେନାହିଁ । ହେଲେ ଯେହେତୁ ତାଙ୍କ କ୍ୟାରିୟର ବହୁତ ଲମ୍ବା ତେଣୁ ଏହି ଗ୍ରାଫ୍ କେବେ କେବେ ଉପରକୁ ଯିବ ତ କେବେ କେବେ ତଳକୁ ଖସିବ ବୋଲି ଗାଙ୍ଗୁଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷ ହେଲା ବିରାଟଙ୍କ ବ୍ୟାଟରୁ ସେଭଳି କୌଣସି ଆଖିଦୃଶିଆ ସ୍କୋର ଆସିନାହିଁ । ଯାହାକୁ ନେଇ ସେ ଅନେକ ଥର ସମାଲୋଚକଙ୍କ ସମାଲୋଚନାର ଶିକାର ହୋଇସାରିଲେଣି । ଗତ କିଛି ଦିନ ତଳେ ସେ ବିଶ୍ୱକପ୍ ପରେ ଟି-୨୦ରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ପଦ ଛାଡିବା ନେଇ ଘୋଷଣା କରିଥିଲେ । ଆଉ ଏହାକୁ ନେଇ ଏବେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।