କନକ ବ୍ୟୁରୋ : ବେଙ୍ଗଲ ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ । କେତେବେଳେ ମମତା ବାନାର୍ଜୀଙ୍କ ବୟାନ ଶିରୋନାମା ପାଲଟିଥାଏ ତ କେତେବେଳେ ମିଥୁନ ଚକ୍ରବର୍ତୀ କିମ୍ବା ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୟାନ ହଇଚଇ ସୃଷ୍ଟି କରିଥାଏ । ଏହାରି ଭିତରେ ଦାଦା ଓ ଦିଦିଙ୍କ ମଧ୍ୟରେ ସାକ୍ଷାତ ବେଙ୍ଗଲ ରାଜନୀତିକୁ ସରଗରମ କରିଛି । ନିକଟରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ରାଜ୍ୟ ସଚିବାଳୟରେ ୩୦ ମିନିଟର ଏହି ବୈଠକର ତାତ୍ପର୍ଯ୍ୟ କ’ଣ, ତାହା ଜଣାପଡ଼ିନାହିଁ । କିନ୍ତୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Advertisment

ବଡ଼ କଥା ହେଉଛି ଚଳିତ ବର୍ଷ ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ ହେବାକୁଯାଉଛି, ଏଭଳି ସ୍ଥିତିରେ ଗାଙ୍ଗୁଲି ବଡ଼ ଚେହେରା ସାବ୍ୟସ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅର୍ଥାତ୍ କ୍ରିକେଟ୍ ପରେ ଦାଦା ରାଜନୀତିରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଗାଙ୍ଗୁଲି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହା ଥିଲା ଦ୍ୱିତୀୟ ବୈଠକ । ଏହା ପୂର୍ବରୁ ବେଙ୍ଗଲ ଫିଲ୍ମ ଫେଷ୍ଟିଭାଲ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ମମତାଙ୍କ ସହ ଦାଦାଙ୍କୁ ଏକାଠି ମଂଚରେ ଦେଖିବାକୁ ମିଳିଥିଲା । ଗତବର୍ଷ ଜୁନ୍ ମାସରେ ଗାଙ୍ଗୁଲି ନୂଆ ଇନିଂସ୍ ଆରମ୍ଭ କରିବା ନେଇ ଏକ ଟ୍ୱିଟ୍ କରିଥିଲେ । ଯାହା ପରେ ଗାଙ୍ଗୁଲି ରାଜନୀତିରେ ପାଦ ଥାପିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

କିନ୍ତୁ ଗାଙ୍ଗୁଲି ଏସବୁ ସମ୍ଭାବନାକୁ ଖାରଜ କରିଦେଇଥିଲେ । ବିସିସିଆଇ ଅଧ୍ୟକ୍ଷ ପଦରୁ ହଟିବା ପରେ ଦାଦାଙ୍କୁ ସମର୍ଥନ କରିଥିଲେ ମମତା । ଏପରିକି ଗାଙ୍ଗୁଲିଙ୍କ ହଟିବା ପଛରେ ରାଜନୀତିକୁ ଦାୟୀ କରିଥିଲା ଟିଏମସି । ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହସ୍ତକ୍ଷେପ ଲୋଡ଼ିଥିଲେ ମମତା । ପରବର୍ତୀ ସମୟରେ ଗାଙ୍ଗୁଲିଙ୍କୁ ବେଙ୍ଗଲ ନୁହେଁ ପୂରା ଭାରତର ଗର୍ବ ବୋଲି କହିଥିଲେ ଦିଦି । ତେଣୁ ଏଥିରୁ ଗୋଟିଏ କଥା ବାହାରୁଛି ଯେ ଆଗାମୀ ଦିନରେ ହୁଏତ ଗାଙ୍ଗୁଲି ରାଜନୀତିରେ ପାଦ ଥାପିପାରନ୍ତି ।