ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କଲା ପୋଲିସ । ଗଣମାଧ୍ୟମକୁ ପତ୍ନୀ କହିଲେ, ଅନ୍ୟ ଯୁବତୀଙ୍କ ସହ ରହିଥିଲା ସୌମ୍ୟଙ୍କ ସମ୍ପର୍କ

269

କନକ ବ୍ୟୁରୋ: ଦିନ ଗଡିବା ସହ ମୃତ ଏସିଏଫ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଥିବା କଳି ପଦାକୁ ଆସୁଛି । ଧିରେ ଧିରେ ସ୍ପଷ୍ଟ ହେଉଛି ଏହି ନବବିବାହିତା ଯୋଡିଙ୍କ ବାହାଘରକୁ ମାତ୍ର ଅଳ୍ପକିଛି ମାସ ହୋଇଥିଲେ ବି ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନଥିଲା । ଉଭୟ ପରସ୍ପରକୁ ସନ୍ଦେହ କରୁଥିଲେ । ଏହି ବିବାଦ ଭିତରେ ଶେଷରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଛି ।

ବିଦ୍ୟାଭାରତୀ, ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ । ଯେଉଁ ମହିଳାଙ୍କ ଉପରେ ଶାଶୂଘରୁ ସନ୍ଦେହର ଅଙ୍ଗୁଳି ଉଠୁଛି, ଏବଂ ଯାହାଙ୍କ ପାଖରେ ମୃତ୍ୟୁର ରହସ୍ୟ ଲୁଚି ରହିଛି ବୋଲି ସନ୍ଦେହ ଉଠୁଛି, ସେହି ବିଦ୍ୟାଭାରତୀ ଗଣମାଧ୍ୟମ ଆଗକୁ ଆସି ନିଜ ପକ୍ଷ ରଖିଛନ୍ତି ।

ବାହାଘରକୁ ମାତ୍ର ଛଅ ମାସ ହୋଇଥିଲା । କିନ୍ତୁ ପରସ୍ପର ଉପରେ ସନ୍ଦେହ ଧିରେ ଧିରେ ଆଗକୁ ବଢ଼ୁଥିଲା । ବିଦ୍ୟାଭାରତୀଙ୍କ ଶାଶୁଘର ଲୋକ ଡିଏଫଓ ସହ ସମ୍ପର୍କ ଉପରେ ପ୍ରଶ୍ନ ଉଠାଉଥିବାବେଳେ ଏବେ ବିଦ୍ୟା, ସ୍ୱାମୀଙ୍କ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ନିଆଁରେ ପୋଡିଯିବା ପରେ ସୌମ୍ୟଙ୍କୁ ସେଦିନ ଆମ୍ବୁଲାନ୍ସରେ ନିଆଯାଉଥିଲା । କିନ୍ତୁ ହଠାତ୍ ଆମ୍ବୁଲାନ୍ସ ଅଟକି ଯାଇଥିଲା । କୁଆଡେ ଘଂଟାଏ ପାଖାପାଖି ଅଟକି ଥିଲା । ଏହି ଘଟଣା ଉପରେ ଅଭିଯୋଗ ଆସିଥିଲା , ଜାଣିଶୁଣି ସୌମ୍ୟଙ୍କୁ ହସ୍ପିଟାଲ ନେବାକୁ ବିଳମ୍ବ କରାଯାଉଥିଲା ।

ବିବାହ ଏକ ବିଶ୍ୱାସର ବନ୍ଧନ । କିନ୍ତୁ ଏହି ବିଶ୍ୱାସରେ ଯେତେବେଳେ ସନ୍ଦେହର ବିଷ ମିଶିଯାଏ, ସେତେବେଳେ ସବୁକିଛି ଓଲଟପାଲଟ ହୋଇଯାଏ । ବିଦ୍ୟାଭାରତୀ ଓ ସୌମ୍ୟଙ୍କ ମଧ୍ୟରେ ଦେଖା ଦେଇଥିବା ସନ୍ଦେହକୁ ଏହି ଅଡିଓ କ୍ଲିପ୍ ଭଲଭାବରେ ଦର୍ଶାଇବ । ଯାହା ଗଣମାଧ୍ୟମକୁ ଦେଇଛନ୍ତି ବିଦ୍ୟାଭାରତୀ ।

ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ଆଉ ଜଣେ ଯୁବତୀ ଏଂଟ୍ରି କରିଥିଲେ । ଯେଉଁ ଯୁବତୀଙ୍କ ଫୋନ, ବିଦ୍ୟାଭାରତୀଙ୍କ ଭିତରେ ସନ୍ଦେହ ଆଣିଥିଲା । କିଏ ସେହି ଯୁବତୀ, ଜାଣିବା ପାଇଁ ସେ ବାରମ୍ବାର ସୌମ୍ୟଙ୍କୁ କହୁଥିଲେ । କିନ୍ତୁ ସୌମ୍ୟ ଏକଥା ପ୍ରକାଶ କରୁନଥିଲେ ।