ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବୟାନକୁ ନେଇ ବଢୁଛି ବିରୋଧ: ଟୁଇଟ କରି ସମାଲୋଚନା କଲେ ବିଜେଡି ନେତା; ସୌମ୍ୟରଂଜନ କହିଲେ, ଏଭଳି ଶସ୍ତା ମନ୍ତବ୍ୟ ଦିଅନ୍ତୁ ନାହିଁ ଲେଖାଶ୍ରୀ

ସୁର ରାଉତରାୟଙ୍କ ମନ୍ତବ୍ୟ, ଲେଖାଶ୍ରୀଙ୍କର ହେଲାଣି ମତିଭ୍ରମ । ସେପଟେ ଲେଖାଶ୍ରୀଙ୍କ ବିରୋଧରେ ଥାନାରେ ଏତଲା

329

କନକ ବ୍ୟୁରୋ: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ପୁରୀ ନେଇ ଲେଖାଶ୍ରୀଙ୍କ ବିଭ୍ରାନ୍ତିକର ଓ ଅପମାନ ସୂଚକ ମନ୍ତବ୍ୟ ରାଜ୍ୟ ବିରୋଧୀ । ସେ ଯେଉଁଭଳି ଭାବେ ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି,ସେହିଭଳି ଭାବେ ବଡଦାଣ୍ଡ ଯାଇ ପ୍ରଭୁ ଜଗନ୍ନାଥକୁ ଭୁଲ ମାଗନ୍ତୁ । ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ପକ୍ଷରୁ କୁହାଯାଇଛି । ସେହିପରି ପୁରୀ ଟାଉନଥାନାରେ  ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏତଲା ଦାୟର କରାଯାଇଛି । ଲେଖାଶ୍ରୀ ସର୍ବ ସମ୍ମୁଖରେ  କ୍ଷମା ପ୍ରାର୍ଥନା କରନ୍ତୁ ନହେଲେ ପୁରୀକୁ ପୁରାଇ ଦିଆଯିବ ନାହିଁ ବୋଲି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେପଟେ, ବିଜେପି ନେତ୍ରୀଙ୍କ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବଦୀୟ ବୟାନକୁ ନେଇ ବଢୁଛି ପ୍ରତିକ୍ରିୟା । ଲେଖାଶ୍ରୀ କହିଥିଲେ , ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ । ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଜାଣିବାକୁ ପାଇଲେ ଦେଶବାସୀ । ଲେଖାଶ୍ରୀଙ୍କ ଏପରି ବିବାଦୀୟ ବୟାନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଛି । ଘଟଣାକୁ ନେଇ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅମର ପଟ୍ଟନାୟକ । ଅମର ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି . ଆଗରୁ ଜୟ ପଣ୍ଡା କହିଥିଲେ ଓଡିଶା ପାକିସ୍ତାନ ପରି , ଆଉ ଏବେ ଏକଥା । ଓଡିଶା ଓ ଜଗନ୍ନାଥଙ୍କ ପ୍ରତି ଏଟା ଅପମାନ । ଓଡିଶାର ଜନତା , ବିଜେପିକୁ ପ୍ରତ୍ୟାଖାନ କରିବାରୁ ଓଡିଶାବାସୀଙ୍କୁ ଅପମାନ ଦେବାକୁ ଏପରି କାମ କରାଯାଉଥିବା ଟୁଇଟ୍ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବଦୀୟ ବୟାନକୁ ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ସମାଲେଚନା କରିଛନ୍ତି ।

ଲେଖାଶ୍ରୀଙ୍କ ବୟାନକୁ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ତାଙ୍କ ଅନୁଭବ କହିଛନ୍ତି । କହିଛନ୍ତି,ସେ  ବହୁ ବର୍ଷ ବାହାରେ ରହିଥିଲେ । ଯେତେବେଳେ ଲୋକ ତାଙ୍କୁ ପଚାରନ୍ତି ଓଡିଶା କୋଉଠି ସେତେବେଳେ ସେ ଜଗନ୍ନାଥ ଧାମ ପୁରୀର ପରିଚୟ ଦେଉଥିଲେ ବୋଲି କହିଛନ୍ତି । ଏଭଳି ଶସ୍ତା ମନ୍ତବ୍ୟ ଲେଖାଶ୍ରୀ ମ୍ୟାଡାମ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ସୌମ୍ୟରଂଜନ ।