କନକ ବ୍ୟୁରୋ : ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ସରକାର । ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦୁଇଟି ସମ୍ପାଦକୀୟ, ସାରା ରାଜ୍ୟରେ ବିତର୍କ ସୃଷ୍ଟି କରିବା ପରେ ଛାନିଆ ହୋଇ ପଡିଥିବା ସରକାର, ଏବେ ପ୍ରତିଶୋଧ ନେବାରେ ଲାଗିଛନ୍ତି । ଫାଇବ୍-ଟି ସବିବ ପାଣ୍ଡିଆନ୍ ଚଳାଇଥିବା ଛାୟା ସରକାରକୁ ନେଇ ନିଜ ସମ୍ପାଦକୀୟ ଜରିଆରେ ପ୍ରଶ୍ନ କରିଥିଲେ ସୌମ୍ୟରଞ୍ଜନ । ତେବେ ସିଧାସଳଖ ପ୍ରଶ୍ନର ଉତ୍ତର ନଦେଇ ସୌମ୍ୟଙ୍କ ଉପରେ ଦାଉ ସାଧୁଛନ୍ତି ସରକାର ।

Advertisment

ହାତରେ ନମାରି ଭାତରେ ମାରିବା ପାଇଁ ପୂରା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ରାଜ୍ୟର ଏକ ନମ୍ବର ଖବରକାଗଜ ସମ୍ବାଦକୁ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି ସରକାର । ସମ୍ବାଦ ସହ କନକ ନ୍ୟୁଜ୍ ଓ ରେଡିଓ ଚକଲେଟକୁ ମଧ୍ୟ ବିଜ୍ଞାପନ ଦିଆ ଯାଉନାହିଁ । ଘରୋଇ କମ୍ପାନୀକୁ ବିଜ୍ଞାପନ ନଦେବା ପାଇଁ ମଧ୍ୟ ଧମକ ଦିଆଯାଇଛି । ଏହା ପଛରେ ରହିଛି ଗୋଟିଏ ଉଦ୍ଦେଶ୍ୟ, ରାଜ୍ୟର ସବୁଠୁ ବଡ଼ ମିଡିଆ ହାଉସର କଣ୍ଠରୋଧ କରି ସତ ଠାରୁ ରାଜ୍ୟବାସୀଙ୍କୁ ଦୂରେଇ ରଖିବା । ବିଜେଡିର ଉପସଭାପତି ପଦରୁ ସୌମ୍ୟରଞ୍ଜନଙ୍କ ହଟାଇ ଦିଆଯାଇ ସଚିବ କେବଳ ବଡ଼ ନୁହଁନ୍ତି, ସର୍ବଶକ୍ତିମାନ ବୋଲି ପ୍ରମାଣ କରାଯାଇଛି ।

ଏହାକୁ ନେଇ ସୌମ୍ୟରଞ୍ଜନଙ୍କ ସପକ୍ଷରେ ବାହାରିଛନ୍ତି ବିରୋଧୀ । ବିଜେପି, ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଫାଇବ-ଟି ସଚିବଙ୍କ ବିରୋଧରେ ସ୍ୱର ଉଠାଇବାରୁ, ସରକାର ପ୍ରତିଶୋଧ ପରାୟଣ ହୋଇଛନ୍ତି । ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ରାଜ୍ୟରେ ସଚିବ ରାଜ ଚାଲିଛି । ୨୦୨୪ ଯାଏଁ ଆମେ ଆଖି ବୁଜି ଦେଇଛୁ । ଅପ୍ରିୟ ସତ କହିଲେ ବିଜ୍ଞାପନ ବନ୍ଦ ହେବ, ଗଣମାଧ୍ୟମର କଣ୍ଠରୋଧ କରାଯିବ, ଅପରାଧିକ ମାମଲା ଖଞ୍ଜି ଦିଆଯିବ ।