କନକ ବ୍ୟୁରୋ: ଜୋରଦାର ଲଢ଼େଇ ପାଇଁ ଯୋଦ୍ଧା ପ୍ରସ୍ତୁତ । ଯଦିଓ ଟିକେଟ ଘୋଷଣା ପରେ ମଇଦାନକୁ ଓହ୍ଳାଇ ସାରିଛନ୍ତି, ନିର୍ବାଚନୀ ପ୍ରକ୍ରିୟାରେ ସାମିଲ ହୋଇ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଘଷିପୁରାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ନାମାଙ୍କନ ଦାଖଲ ବେଳେ ଶକ୍ତି ପ୍ରଦର୍ଶନ କରିଛନ୍ତି । ସେପଟେ ବେଗୁନିଆରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ବାରବାଟୀ-କଟକ ବିଜେପି ବିଧାନସଭା ପ୍ରାର୍ଥୀ ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଘଷିପୁରାରୁ ବିଜେଡି ପ୍ରାର୍ଥୀ ଭାବେ ବଦ୍ରିନାରାୟଣ ପାତ୍ର ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।

ନୂଆ ଉତ୍ସାହ ଓ ନୂଆ ଉର୍ଜା ନେଇ ନିର୍ବଚନୀ ମୈଦାନକୁ ଓହ୍ଲାଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ଏଥର କୌଣସି ଦଳୀୟ ଗଣ୍ଡିରେ ବାନ୍ଧି ହୋଇ ନିର୍ବାଚନ ଲଢ଼ିବା ପରିବର୍ତେ ମୁକ୍ତ ଚେତନାର ସହ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି । ଗତ ନିର୍ବାଚନରେ ରେକର୍ଡ ବ୍ୟବଧାନ ଭୋଟ୍ରେ ଖଣ୍ଡପଡ଼ା ବିଧାୟକ ହୋଇଥିବା ସୌମ୍ୟରଂଜନ ପଟ୍ଟନାୟକ ଏଥର ଘଷିପୁରା ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି ।

ମା’ ତାରିଣୀ ଆଶୀର୍ବାଦ ନେବା ପରେ ସମର୍ଥକଙ୍କ ସହ ବିଶାଳ ରାଲିରେ ବାହାରିଥିଲେ ବିଧାୟକ ପ୍ରାର୍ଥୀ ସୌମ୍ୟ ରଂଜନ ପଟ୍ଟନାୟକ । ଶହ ଶହ ବାଇକ୍ ନେଇ ରାଲି କରିବା ସହ ହଜାର ହଜାର କର୍ମୀଙ୍କ ଗହଣରେ ଶକ୍ତି ପ୍ରଦର୍ଶନ କରିଥିଲେ । ପରେ ସମର୍ଥକଙ୍କ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ସୌମ୍ୟରଂଜନ । ଘଷିପୁରାବାସୀ ପରିବର୍ତନ ଚାହୁଁଛନ୍ତି ଏବଂ ଏହି ପରିବର୍ତନ ପାଇଁ ଆଗକୁ ଆସିଛନ୍ତି ବୋଲି କହିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ ।

ଏପଟେ ନାମାଙ୍କନ ଭରିଛନ୍ତି ଘସିପୁରା ବିଧାନସଭା ବିଜେଡି ପ୍ରାର୍ଥୀ ବଦ୍ରିନାରାୟରଣ ପାତ୍ର । ସମର୍ଥକଙ୍କୁ ନେଇ ଘସିପୁରା ନିର୍ବାଚନ ମଣ୍ଡଳୀର ପଦନାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ନାମାଙ୍କନ ଦାଖଲ ସମୟରେ ଦେଖିବାକୁ ମିଳିଥିଲା ରାଜନୀତିର ଏକ ରୋଚକ ଚିତ୍ର । ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏବଂ ବିଜେଡି ପ୍ରାର୍ଥୀ ବଦ୍ରିନାରାୟରଣ ପାତ୍ର, ସୌହାଦ୍ୟପୂର୍ଣ୍ଣ ପରିବେଶରେ କଥାବାର୍ତା କରୁଥିବା ଦେଖିବାକୁ ମିଳିଥିଲା ।

ଏହାରି ଭିତରେ କଟକ-ବାରବାଟୀ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ବିରାଟ ପଟୁଆରରେ ଆସି କଟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କନ ଭରିଛନ୍ତି । ସକାଳୁ କଟକ ଅଧିଷ୍ଠାତ୍ରୀ ଦେବୀ ମାଆ ଚଣ୍ଡିଙ୍କ ଦର୍ଶନ କରିବା ପରେ ବିଶାଳ ରାଲିରେ ନାମାଙ୍କନ ଭରିବାକୁ ବାହାରିଥିଲେ ପୂର୍ଣ୍ଣ ମହାପାତ୍ର । ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର୍ରଙ୍କ ଲୋକପ୍ରିୟତା ଦେଖି ତାଙ୍କ ଉପରେ ଭରସା କରିଛି ଭାରତୀୟ ଜନତା ପାର୍ଟି ।

ବେଗୁନିଆ ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଜିଲ୍ଲା ଉନ୍ନୟନ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଭରିଛନ୍ତି ପୃଥ୍ୱୀବଲ୍ଲଭ । ନାମାଙ୍କନ ଭରିବା ପୂର୍ବରୁ ବେଗୁନିଆରେ ପାଂଚ ପାଇକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯାହା ପରେ ଏକ ବିରାଟ ପଟୁଆରରେ ଯାଇ ନାମାଙ୍କନ ଭରିଥିଲେ ପୃଥ୍ୱୀବଲ୍ଲଭ । ଏଥର ବେଗୁନିଆବାସୀଙ୍କ ଆଶୀର୍ବାଦ ରହିବ ବୋଲି ଆଶା କରିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ ।

ଏହାରି ଭିତରେ ବିଜେପି ପକ୍ଷରୁ କାମାକ୍ଷନଗର ପାଇଁ ଶତୃଘ୍ନ ଜେନା ଓ ପର୍ଜଙ୍ଗ ପାଇଁ ବିଭୂତି ପ୍ରଧାନ ହଜାର ହଜାର ଦଳୀୟ କର୍ମୀଙ୍କ ଗହଣରେ ଆସି, କାମାକ୍ଷନଗର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ । ଏଥିରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀଙ୍କ ମା’ ମଧ୍ୟ ନାମାଙ୍କନ ଦାଖଲରେ ସାମିଲ ହୋଇ ଭଣଜା ବିଭୂତି ପ୍ରଧାନଙ୍କ ବିଜୟ କାମନା କରିଥିଲେ ।