ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ସୈାମ୍ୟରଂଜନ । ଅଚ୍ୟୁତ ଓ ପ୍ରଶାନ୍ତ ବି ନେଲେ ପଦ ଓ ଗୋପନୀୟତାର ଶପଥ

71

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡି ଟିକେଟରୁ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ଆଜି ପଦ ଆଉ ଗୋପନୀୟତାର ଶପଥ ନେଇଛନ୍ତି ସୈାମ୍ୟରଂଜନ । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିର ତିନି ଜଣ ଶପଥ ନେଇଥିଲେ । ସମସ୍ତ ତିନି ସାଂସଦ ଓଡିଆରେ ଶପଥ ନେଇଥିଲେ । ପ୍ରଥମେ ପ୍ରଶାନ୍ତ ନନ୍ଦ, ଦ୍ୱିତୀୟରେ ସୈାମ୍ୟରଂଜନ ପଟ୍ଟନାୟକ ଓ ଶେଷରେ ଅଚ୍ୟୁତ ସାମନ୍ତ ଶପଥ ନେଇଥିଲେ । ଓଡିଆରେ ଶପଥ ଗ୍ରହଣ କରିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ କହିଥିଲେ, ଓଡିଆ ବଢିଆ ।


ସୈାମ୍ୟରଂଜନଙ୍କ ସମେତ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିବା ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ମଧ୍ୟ ଆଜି ଶପଥ ନେଇଛନ୍ତି । ରାଜ୍ୟସଭାରେ ବିଜେଡିର ଦୁଇ ସଦସ୍ୟ ଅନଙ୍ଗ ଉଦୟ ସିଂଦେଓ, ଦିଲ୍ଲୀପ ତିର୍କୀ ଓ ବିଜେଡି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଏ. ଭି. ସ୍ୱାମୀଙ୍କ କାର୍ଯ୍ୟକାଳ ସରିବା ପରେ ରାଜ୍ୟସଭା ପାଇଁ ରାଜ୍ୟରେ ନିର୍ବାଚନ ହୋଇଥିଲା । ସଂଖ୍ୟା ଦୃଷ୍ଟିରୁ ବିଜେଡି ହାତକୁ ତିନୋଟି ଯାକ ଆସନ ଯିବା ନିଶ୍ଚିତ ଥିବାରୁ ଅନ୍ୟ କୈାଣସି ଦଳ ପ୍ରାର୍ଥୀ ଦେଇନଥିଲେ । ଫଳରେ ବିଜେଡିର ତିନି ଜଣ ଯାକ ପ୍ରାର୍ଥୀ ସୈାମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ବିନା କୈାଣସି ପ୍ରତିଦ୍ୱନ୍ଦ୍ୱିତାରେ ବାଜିମାତ୍ କରିଥିଲେ ।

rajyasabha
ସୈାମ୍ୟରଂଜନ ପଟ୍ଟନାୟକଙ୍କର ରହିଛି ଦୀର୍ଘ ରାଜନୈତିକ ଅଭିଜ୍ଞତା । ୧୯୯୫ରେ ସେ ରାଜନୀତିରେ ପାଦ ଥାପିବା ସହ ୧୯୯୬ରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । କଂଗ୍ରେସ ଟିକେଟରେ ସେ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସାମ୍ବାଦିକତା କ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ କରି ନିଜ ପାଇଁ ଏକ ସ୍ଥାନ ହାସଲ କରି ପାରିଥିବା ସୈାମ୍ୟରଂଜନ ରାଜନୀତି କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠା ହାସଲ କରିବାରେ ସକ୍ଷମ ହୋଇଥିଲେ । ବିଚାରଧାରା ସହ କେବେ ସାଲିସ କରିନଥିବା ଏହି ରାଜନେତା ସବୁବେଳେ ନିଜର ସ୍ପଷ୍ଟ ମତ ପାଇଁ ଚର୍ଚ୍ଚିତ ରହୁଥିଲେ ।


ରାଜ୍ୟରେ ବିଭିନ୍ନ ସଂଗଠନ ଓ ସମସ୍ୟା ସହ ନିଜକୁ ଜଡିତ କରାଇ ସୈାମ୍ୟରଂଜନ ଖୋଜୁଥିଲେ ସମାଧାନର ରାସ୍ତା । ଖାସ୍ କରି ଚଷା, ଭାଷା, ନିଶା ଆଉ ଚିଟଫଣ୍ଡ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ କେବେ ପଛଘୁଂଚା ଦେଇନଥିଲେ । ସାରା ରାଜ୍ୟର ୩୧୪ ବ୍ଲକରେ ସାମାଜିକ କାର୍ଯ୍ୟ ଦ୍ୱାରା ନିଜ ପାଇଁ ପ୍ରତିଷ୍ଠା ହାସଲ କରିପାରିଥିଲେ ସୈାମ୍ୟରଂଜନ । ଅନ୍ୟପକ୍ଷରେ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କର ଶିକ୍ଷା କ୍ଷେତ୍ରକୁ ଯଥେଷ୍ଟ ଅବଦାନ ରହିଛି । ସେହିଭଳି ପ୍ରଶାନ୍ତ ନନ୍ଦଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ତାଙ୍କୁ ବିଜେଡି ସୁପ୍ରିମୋଙ୍କର ନିକଟତର କରିପାରିଥିଲା ।