କନକ ବ୍ୟୁରୋ : ପ୍ରତାପ ଦେବଙ୍କୁ କଡା ଜବାବ ଦେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଯାହା କହୁଛି ଦଳର ହିତ ପାଇଁ କହୁଛି, ଯାହା ଲେଖୁଛି ଦଳର ମଙ୍ଗଳ ହେବ ଅମଙ୍ଗଳ ହେବନି । ସମ୍ପାଦକୀୟ ନେଇ ମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇପାରିବେନି । ଦଳ ବିରୋଧରେ ମୁଁ ଆଦୌ ଯାଇନି । ଦଳରେ କେମିତି ଶୃଙ୍ଖଳା ଆସିବ ତାହାର ମୋର ଉଦ୍ଦେଶ୍ୟ ବୋଲି କହିଛନ୍ତି ସୌମ୍ୟ ।

Advertisment

ପ୍ରେସମିଟ୍ କରି ସୌମ୍ୟ କହିଛନ୍ତି, ୫-ଟି ସଚିବ ରାଜନୀତି କରିପାରିବେନ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ସବୁ କିଛି ଟାଳିଦେଇ ଚାଲିବା ଗ୍ରହଣୀୟ ନୁହେଁ । ବିଜୁ ଜନତା ଦଳ ଶକ୍ତିଶାଳୀ ଦଳ । ଦଳରେ ଥାଇ ଗର୍ବ ଅନୁଭବ କରୁଛି, ଦଳ ଛାଡିବାର ନାହିଁ । ଦଳର ବିପଥଗାମୀ ନେଇ କହିବାକୁ ପଡୁଛି ।

ସମ୍ପାଦକ ଥାଇ ଦଳ ବିରୋଧରେ ସମ୍ପାଦକୀୟ ଲେଖିଲେ ଏହା ଅନୁଶାସନହୀନରେ ଯାଉଛି ବୋଲି କହୁଛନ୍ତି । ଏହାପୂର୍ବରୁ ମଧ୍ୟ ଅନେକ ଜଣ ଏଭଳି କହିଛନ୍ତି । ଏପରିକି ପ୍ରତାପ ଦେବ କହିଛନ୍ତି, ସମ୍ପାଦକୀୟ ଯଦି ଲେଖିବେ ତେବେ ଦଳ ଛାଡି ଦିଅନ୍ତୁ । କିନ୍ତୁ ମୁଁ ୩ଟି ବୃତ୍ତିରେ ରହିଛି । ଖବରକାଗଜ ବାହାର କରୁଛି, ସମ୍ପାଦକ ଅଛି ଓ ଦଳରେ ସାଧାରଣ କର୍ମୀଟିଏ ହୋଇ ରହିଛି । ତେଣୁ ଏଭଳି ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ । କିନ୍ତୁ ସମ୍ପାଦକୀୟରେ ଯାହା ଲେଖୁଛି ତାହା ଦଳର ଅନୁଶାସନ ବିରୋଧରେ ଯାଉଛି ତାହା ବୁଝି ହେଉନି । ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହା ଲେଖୁଛି । ଦଳ ଏଠାରେ କାହାକୁ ଡରୁଛି? ବିଜେଡିର ବିକଳ୍ପ ନାହିଁ ବୋଲି କହୁଥିଲୁ, ବିଜେପିକୁ ପ୍ରତିଦ୍ୱନ୍ଦ୍ୱୀ ଦଳ ବୋଲି ଭାବୁନଥିଲୁ । କିନ୍ତୁ ଏବେ କଣ ଚାଲିଛି ।

ମୋର କେଉଁ କଥା ଦଳର ଅନୁଶାସନ ବିରୋଧରେ ଗଲା ତାହା ବୁଝିପାରୁନି । ଦଳୀୟ ଫୋରମରେ କଥା ଉଠାଇବାକୁ କହୁଛନ୍ତି । କଣ ୩ୟ ମହଲାରେ ଆମର ଦଳୀୟ ଅଫିସ ଅଛି କି? ଦଳର ଅଫିସକୁ ତୃତୀୟ ମହଲାରୁ ଚଳାଇଲେ ହେବ ନାହିଁ । ଯେଉଁମାନେ ସଚିବ ସେମାନେ ଦଳୀୟ କଥାରେ ମୁଣ୍ଡ ପୂରାଇଲେ ହେବନାହିଁ । ଆମ ଦଳରେ କଣ କେହି ନେତା ନାହାନ୍ତି? କଣ କେବଳ ୪ ଜଣ ଆଇଏଏସ ଅଫିସର ଦଳକୁ ସମ୍ଭାଳିବେ । ତାଙ୍କର ଯଦି ଦଳୀୟ କାର୍ଯ୍ୟକ୍ରମ କରିବାର ଅଛି ତେବେ ପଦବୀରୁ ଇସ୍ତଫା ଦେଇ ଦଳ ସମ୍ଭାଳନ୍ତୁ କାହାର ଆପତ୍ତି ରହିବନି ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।