ବାହାର ରାଜ୍ୟର ଠିକାଦାର କରୁଛି ଓଡିଶାର ପାନୀୟ ଜଳ ପ୍ରକଳ୍ପ ।  ସୌମ୍ୟଙ୍କ ପ୍ରଶ୍ନ, କାହିଁକି ଦିଆଯାଉନି ଓଡିଆ ଲୋକଙ୍କୁ କାମ?

180

କନକ ବ୍ୟୁରୋ: ପାନୀୟ ଜଳ ପ୍ରକଳ୍ପକୁ ନେଇ ଆଜି ବିଧାନସଭାରେ ହଙ୍ଗାମା । ଓଡିଆ ଠିକାଦାରଙ୍କୁ ଉପେକ୍ଷା କରି ବାହାର ସଂସ୍ଥାକୁ କାମ ମିଳୁଥିବା ନେଇ ଆଜି ପ୍ରଶ୍ନ ଉଠାଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଯାହାର ଉତ୍ତର ରଖିଥିଲେ ମନ୍ତ୍ରୀ ।

ଓଡିଶାର ପାନୀୟ ଜଳ ପ୍ରକଳ୍ପରେ କାମ ପାଉନାହାଁନ୍ତି ଓଡିଆ ଠିକାଦାର । ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ପ୍ରଶ୍ନ ଉଠିଛି । ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ବିଶ୍ୱର ବିଭିନ୍ନ ସ୍ଥାନରେ ଓଡିଆ ମିସ୍ତ୍ରୀମାନେ ପାଇପ୍ ଜଳଯୋଗାଣ କାମ କରୁଥିବାବେଳେ, ଓଡିଶାରେ ଏଭଳି ପ୍ରକଳ୍ପରେ କାହିଁକି କାମ ପାଉ ନାହାଁନ୍ତି ଓଡିଆ ଠିକାଦାର । ଆଉ ଏହାର ଉତ୍ତର ରଖିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

୫୦ କୋଟି ଟଙ୍କାରୁ କମ୍ ଅର୍ଥରେ ହେଉଥିବା ପ୍ରକଳ୍ପ ଗୁଡିକରେ ଓଡିଆ ଲୋକ କାମ ପାଉଛନ୍ତି । କିନ୍ତୁ ୫୦ କୋଟିରୁ ଉର୍ଦ୍ଧ ହେଲେ, ବୈଷୟିକ ବିଡ୍ ଓ ଆର୍ଥିକ ବିଡକୁ ବିଚାରକୁ ନିଆଯାଏ । ଫଳରେ ଓଡିଆ ଠିକାଦାର ଏହି ପର୍ଯ୍ୟାୟରେ ବାଦ ପଡି ଯାଆନ୍ତି । କିନ୍ତୁ ସୌମ୍ୟଙ୍କ ଯୁକ୍ତି ଥିଲା, ସବୁ ପ୍ରକଳ୍ପକୁ ମେଗା ନକରି ବରଂ ଛୋଟ ଛୋଟ ପ୍ରକଳ୍ପ କରି ପାନୀୟ ଜଳ ଯୋଗାଣ କରିପାରିଲେ ଅଧିକ ଓଡିଆ ଠିକାଦାର କାମ ପାଇଥାନ୍ତେ । ଅନ୍ୟପଟେ ବିରୋଧୀ କଂଗ୍ରେସ ଓ ବିଜେପି, ନଗର ଉନ୍ନୟନ ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରିବା ସହ ମତ ରଖିବାର ସୁଯୋଗ ନମିଳିବାରୁ ହଟ୍ଟଗୋଳ କରିଥିଲେ ।