କନକ ବ୍ୟୁରୋ : ପ୍ରେସମିଟ୍ କରି ପ୍ରତାପଙ୍କୁ କଡା ଜବାବ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡିରେ ରହି ଗର୍ବ ଅନୁଭବ କରେ, ଦଳ ଛାଡିବାର ନାହିଁ ବୋଲି କହିଛନ୍ତି ସୌମ୍ୟ । ମତ କଣ ବଦଳେ ନାହିଁ, ତେବେ ଦଳ ବଦଳାଇବାରେ ଅସ୍ୱାଭାବିକତା କେଉଁଠି? ବିଜେଡିରେ ଯେଉଁମାନେ ଅଛନ୍ତି ସେମାନେ କଣ କଂଗ୍ରେସରୁ ଆସିନାହାନ୍ତି କି? ସେମାନେ କଣ ଦଳ ବଦଳାଇ ନାହାନ୍ତି? କେନ୍ଦ୍ର ଅବହେଳା ଓ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ସଂସଦରେ ସ୍ୱର ଉଠାଇବାକୁ ମୁଖ୍ୟମନ୍ତ୍ରୀ ସାଂସଦଙ୍କୁ କହିଥିଲେ । କିନ୍ତୁ ଯେତେବେଳେ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲା ସେତେବେଳେ ଏହାକୁ ସମର୍ଥନ କରିଥିଲା ବିଜେଡି । ଏହା ମୁଖ୍ୟମନ୍ତ୍ରୀଙ୍କର ମତ ପରିବର୍ତ୍ତନ ନୁହେଁ କି?

Advertisment

ଏହାସହ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ସୌମ୍ୟ କହିଛନ୍ତି,  ସିଏମଓ ଲୋକଙ୍କ ପାଖକୁ ଆସିଛି ବୋଲି କୁହାଗଲା । କିନ୍ତୁ ସିଏମଓରୁ ତ ଆଉ କେହି ଯାଉନାହାନ୍ତି,  କଣ ସେହି ଗୋଟିଏ ଲୋକ ଅଛନ୍ତି । ଯିଏ ସିଏମଓ କଥା ବୁଝୁଛନ୍ତି, ସରକାରୀ କଥା ବୁଝୁଛନ୍ତି, ସାଧାରଣ ଲୋକଙ୍କ ସୁଖ ଦୁଃଖ କଥା ବୁଝୁଛି । ଏହା କଣ ସାଧାରଣ ଲୋକଙ୍କ ପାଇଁ ଅପମାନଜନକ ନୁହେଁ କି? ସେଥିପାଇଁ ତ ଲେଖିଥିଲି ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା । ମନ୍ତ୍ରୀଙ୍କ ଦ୍ୱାରା ଶାଗ ସିଝିବନି, ସେମାନେ ଅସହାୟ ବୋଲି ଉତ୍ତର ଦେଉନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଶ୍ୱାସ କରୁନାହାନ୍ତି । କେବଳ ଜଣିଏ ଲୋକ ଅଛି ଯାହା ଉପରେ ସେ ବିଶ୍ୱାସ କରୁଛନ୍ତି । ଏତେ କ୍ଷମତା, ଏତେ ସମର୍ଥନ ଦେଖିଲେ ଯେ କେହି ବି ବିଭୋର ହୋଇଯିବ । ତାହା ତ ସମ୍ପାଦକୀୟରେ ଲେଖିଛି ।

ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ଲୋକଙ୍କୁ କହୁଛନ୍ତି  । ବାସ୍ତବରେ ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି ଯେ, ଭିଡ଼ିଓ ବାର୍ତ୍ତା ଅସ୍ପଷ୍ଟ ଭାଷାରେ କହିବେ ମୁଁ ପଠାଉଛି ଲୋକଙ୍କ ସୁଖ ଦୁଃଖ ବୁଝିବା ପାଇଁ । ଏଭଳି ଶାସନ ଉପରେ ବିଶ୍ୱାସ କରିବା କି? ମୁଖ୍ୟମନ୍ତ୍ରୀ ଭାଗ୍ୟବାନ ବ୍ୟକ୍ତି ଯେ, ଓଡ଼ିଶାବାସୀ ତାଙ୍କୁ ଶ୍ରଦ୍ଧା, ଆଶୀର୍ବାଦ ଓ ସମର୍ଥନ ଦେଇଛନ୍ତି ତାହା ପୂର୍ବରୁ କେହି ପାଇନଥିଲେ କି ଭବିଷ୍ୟତରେ କେହି ପାଇବେ ନାହିଁ । ଏହି ସ୍ନେହ, ଶ୍ରଦ୍ଧାର ଉତ୍ତର କଣ ଭିଡ଼ିଓ ବାର୍ତ୍ତା ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।