କନକ ବ୍ୟୁରୋ : ପାଦ ଓ ହାତରେ ଚାଲିଛି ମେହେନ୍ଦୀର ତୁଳି । ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କୁ ସଜେଇବାରେ ବ୍ୟସ୍ତ ଅଛନ୍ତି । ସୁନ୍ଦର ସୁନ୍ଦର ମେହେନ୍ଦି ଡିଜାଇନରେ ପୁରିଉଠିଛି ମହିଳା ହାତ ଓ ପାଦ । ସେହିପରି ଫେସ ମେକଅପ୍, ସୁନ୍ଦର ହେୟାରଷ୍ଟଇଲ ଓ ବ୍ରାଇଡାଲ ଗେଟଅପ୍ରେ ସଜେଇ ହୋଇଛନ୍ତି ଅନ୍ୟ ମହିଳାମାନେ । ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ବାହାଘର କିମ୍ବା ପାର୍ଟି ଫଙ୍କସନର ଦୃଶ୍ୟ ନୁହେଁ । କିମ୍ବା କୌଣସି ସହରର ଦୃଶ୍ୟ ନୁହେଁ । ବରଂ ସୋର ଠାରେ ଆୟୋଜିତ ହୋଇଥିବା ମେକଅପ୍ ଓ ହେୟାର ଡିଜାଇନ ତାଲିମ ଶିବିରର । ସୁଦୁର ଜଳେଶ୍ୱରରୁ ଆସି ମହିଳା ମାନଙ୍କୁ ଏହି ତାଲିମ ଦେଉଛନ୍ତି ମେକଅପ୍ ଆର୍ଟିଷ୍ଟ ରଶ୍ମିତା ପ୍ରଧାନ । କାରଣ ସେ ନିଜେ ଏହାକୁ ବୃତି କରି ଆତ୍ମନିର୍ଭର ହୋଇଥିବାରୁ ଅନ୍ୟମାନଙ୍କୁ ଏହି କଳା ଶିଖାଉଛନ୍ତି ।
ମେକଅପ୍ ନେବାକୁ ପୁରୁଷମାନଙ୍କ ଅପେକ୍ଷା ମହିଳା ମାନେ ଅଧିକ ପସନ୍ଦ କରନ୍ତି । ସୁନ୍ଦର ଠାରୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ପ୍ରାୟ ଅଧିକାଂଶ ମହିଳାଙ୍କର ଇଛା ଥାଏ । ପୂର୍ବ ଅପେକ୍ଷା ବାହାଘର, ବ୍ରତଘର କିମ୍ବା ପୂଜା ପର୍ବାଣୀରେ ମହିଳା ମାନେ ପାର୍ଲର ଯାଇ ମେକଅପ୍ ନେବା ଏବେ ଯେମିତି ଏକ ଟ୍ରେଣ୍ଡ ପାଲଟିଗଲାଣି । ହେଲେ ସହର ଅପେକ୍ଷା ଗ୍ରାମାଂଚଳର ସବୁ ସ୍ଥାନରେ ଏହାର ସୁବିଧା ମିଳିନଥାଏ । ତେଣୁ ଗ୍ରାମାଂଚଳରେ ମହିଳା ମାନେ କିଭଳି ମେକଅପ୍ ତାଲିମ ନେଇପାରିବେ । ଏହାଦ୍ୱାରା ରୋଜଗାରକ୍ଷମ ହୋଇପାରିବେ ସେନେଇ ଏହି ତାଲିମ ଶିବିରର ଆୟୋଜନ କରାଯାଇଛି । ଅଉ ଏଥିରେ ମହିଳା ମାନେ ଆଗ୍ରହର ସହ ଭାଗ ନେଇ ପ୍ରଶିକ୍ଷଣ ନେଉଛନ୍ତି ।
ପାର୍ଲର କରି ମହିଳା ମାନେ ଅଧିକାଂଶ ସ୍ଥାନରେ ଆତ୍ମନିର୍ଭର ହୋଇପାରିଛନ୍ତି । ଏପରିକି ମହିଳା ମାନେ ଏହାଦ୍ୱାରା ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ବର୍ତମାନ ସମୟରେ ଏହା ଏକ ଯୁଗଉପଯୋଗୀ ବ୍ୟବସାୟ ହୋଇଥିବା ବେଳେ ଗ୍ରାମାଂଚଳର ମହିଳାମାନେ କିଭଳି ଏଥିରେ ଯୋଡ଼ିହୋଇପାରିବେ ସେନେଇ ଏକ ପ୍ରୟାସ ଆରମ୍ଭ ହୋଇଛି ।