ଝିଅ ଜୀବନରେ ଘୋଟି ଆସିଛି ଅମାଅନ୍ଧାର । ନଷ୍ଟ ହୋଇଯାଇଛି ୨ଟି ଯାକ କିଡନୀ, ଶୁଭ୍ରାଲିନଙ୍କୁ କିଡନୀ ଦେବାକୁ ପ୍ରସ୍ତୁତ ଅଛନ୍ତି ମାଆ
କନକ ବ୍ୟୁରୋ : ଗରିବ ଅଭାବି ଚାଷୀ ପରିବାର । ସ୍ୱାମୀ-ସ୍ତ୍ରୀ ତିନି ପିଲାଙ୍କୁ ନେଇ ସଂସାର । ୩ଟି ଗାଇଙ୍କୁ ପାଳି କ୍ଷୀର ବିକ୍ରି କରି ପାଠପଢାଇ ମଣିଷ କରିବା ପାଇଁ କେତେ ପରିଶ୍ରମ କରିଛନ୍ତି । ବଡ ଝିଅ ବିବାହ ଯୋଗ୍ୟା ହୋଇଯିବା ପରେ ତାକୁ ଶାଶୁଘରକୁ ପଠାଇବା ପାଇଁ ଦେଖିଥିବା ସ୍ୱପ୍ନକୁ ଧାର କରଜ କରି ୮ ମାସ ତଳେ ପୁରଣ କରିଛନ୍ତି । ଥିଲାବାଲା ଘର ନହେଲେ ମଧ୍ୟ, ଝିଅ ଭଲବର ଶାଶୁ ଶ୍ୱଶୁର ପାଇଥିବାରୁ ବାପା-ମାଆଙ୍କ ଖୁସି କହିଲେ ନସରେ । ହେଲେ ହଠାତ୍ ସବୁ ଖୁସିରେ ପାଣି ପକାଇ ମାଡିି ଆସିଛି ଦାରୁଣ ଦୁଃଖ । ଶାଶୁଘରେ ଝିଅର ଦେହ ଅସୁସ୍ଥ ହେବା ପରେ ବଡ ଡାକ୍ତରଖାନାରେ ଜଣାପଡିଛି, ନୂଆ କରି ଘର ସଂସାର କରିଥିବା ଶୁଭ୍ରାଲିନ୍ର ଦୁଇଟି ଯାକ କୀଡନି ଖରାପ । ସତେ ଯେମିତି ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ନିଜ ସନ୍ତାନର ଅସମୟରେ କେଉଁ ମାଆ କଣ ଚୂପ ହୋଇ ବସିପାରେ? ଝିଅ ଶୁଭ୍ରାଲିନ୍କୁ ଭଲ କରିବା ପାଇଁ, ତା ଜୀବନ ବଂଚାଇବା ପାଇଁ ଅଂଟା ଭିଡିଛନ୍ତି ମାଆ ରଶ୍ମୀରେଖା । ଅନ୍ତଫାଡି ଜନ୍ମ ଦେଇଥିବା ଝିଅକୁ ନିଜର ଗୋଟିଏ କୀଡନି ଦେଇ ସୁସ୍ଥ କରିବା ପାଇଁ ବାହାରି ପଡିଛନ୍ତି । ହେଲେ ଗରିବ ମାଆ ଜଣଙ୍କ ଯେତେବେଳେ ଶୁଣୁଛନ୍ତି କୀଡନି ଟ୍ରାନ୍ସପ୍ଲାଂଟ ପାଇଁ ଦରକାର ୧୫ରୁ ୨୦ ଲକ୍ଷ, ସେତେବେଳେ ତାଙ୍କ ହୋସ ଉଡିଯାଉଛି । ନିଜ ଘର, ଜମି, ଗାଇ ସବୁ ବିକିଲେ ବି ଏତିକି ହେବନି । ଏପଟେ ନା ଝିଅର ଯନ୍ତ୍ରଣା ଦେଖି ହେଉଛି ସେପଟେ ନା ତାକୁ ଭଲ କରିବା ପାଇଁ ପଇସା ଯୋଗାଡ କରି ହେଉଛି ।
ଆମ ଚାରିପାଖରେ ଏମିତି ଅନେକ ଧନବାନ ଲୋକ ଅଛନ୍ତି, ଯେଉଁମାନେ କେମିତି ପଇସା ଖର୍ଚ କରିବେ ତା’ପାଇଁ ବାଟ ଖୋଜନ୍ତି । ହେଲେ ରଶ୍ମିରେଖା, ଶୁଭ୍ରାଲିନ୍ଙ୍କ ପରି ଅଭାବୀ ପରିବାର ପାଖରେ ଆବଶ୍ୟକତା ବେଳେ ଠିଆ ହୁଅନ୍ତି କେତେ ଜଣ । ତଥାପି ଏ ଦୁନିଆରେ ଆପଣମାନଙ୍କ ଭଳି ସହହୃଦୟ ବ୍ୟକ୍ତିଙ୍କ ପାଇଁ ମାନବିକତା ବଂଚି ରହିଛି । ଯଦି ଅଳ୍ପ କିଛି କିଛି ସାହାଯ୍ୟ ସମସ୍ତଙ୍କ ପାଖରୁ ଆସେ ତାହାହେଲେ ଶୁଭ୍ରାଲିନ୍କୁ ବଂଚାଇବା ପାଇଁ ମାଆ ରଶ୍ମିରେଖାଙ୍କ ପ୍ରୟାସ ସଫଳ ହୋଇଯାଆନ୍ତା ।