ବାହୁବଳୀ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି । କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତ ଆକ୍ରମଣ, ଲହୁଲୁହାଣ ହୋଇ ହସ୍ପିଟାଲରେ ଭର୍ତ୍ତି

43

କନକ ବ୍ୟୁରୋ : ବାହୁବଳୀ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି । ସାମ୍ବାଦିକଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି ବିଧାୟକ । ବାଲେଶ୍ୱର ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଆକ୍ରମଣର ଶୀକାର ସାମ୍ବାଦିକ ଏବେ ଗୁରୁତର ଅବସ୍ଥାରେ ହସପିଟାଲ ବେଡରେ ଚିକିିତ୍ସିତ ହେଉଛନ୍ତି । ବିଧା ଗୋଇଠା ମାରି ବିଧାୟକ ଓ ତାଙ୍କ ସମର୍ଥକ ଗୁଣ୍ଡାମାନେ କନକ ନ୍ୟୁଜ୍ର ପ୍ରତିନିଧି ପ୍ରମୋଦ ଦାସ ଓ ନ୍ୟୁଜ୍ ସେଭେନ ସ୍ଥାନୀୟ ପ୍ରତିନିଧିଙ୍କୁ ମାଡ ମାରି ଗୁରୁତର କରିଛନ୍ତି । କେବଳ ସେତିକି ନୁହେଁ ମୋବାଇଲ୍ ଛଡାଇ ନେଇ ସମସ୍ତ ରେକର୍ଡିଂ ନଷ୍ଟ ମଧ୍ୟ କରିଦେଇଛନ୍ତି । ଘଟଣା ପଛର କାରଣ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ । ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନିୟମିତତା ଅଭିଯୋଗ କରି କୃଷି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଉଥିଲେ ବିଧାୟକ ।

 

ଆଉ ସାମ୍ବାଦିକମାନେ ଏ ଘଟଣାର ଚିତ୍ର ଉତୋଳନ କରିବାରୁ ବିଧାୟକଙ୍କ ମୁଣ୍ଡକୁ ପିତ ଚଢିଯାଇଥିଲା । ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ସାମ୍ବାଦିକମାନଙ୍କୁ ମାଡ ମାରିଥିଲେ ବିଧାୟକ ପର୍ଶୁରାମ ଧଡା ଓ ତାଙ୍କ ସମର୍ଥକ । କେବଳ କନକ ନ୍ୟୁଜ୍ ପ୍ରତିନିଧି ନୁହଁନ୍ତି, ନ୍ୟୁଜ୍ ସେଭେନର ପ୍ରତିନିଧି ମଧ୍ୟ ଆକ୍ରୋଶ ଓ ମାଡରୁ ବାଦ୍ ପଡିନାହାଁନ୍ତି । ବିଧାୟକଙ୍କ ରାଗ ପଛରେ ଆଉ ଏକ ଦିଗ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପରକୀୟା ପ୍ରୀତି ନେଇ ବିଧାୟକଙ୍କ ଆପତିଜନକ ମନ୍ତବ୍ୟ ବିଭିନ୍ନ ସୋସିଆଲ୍ ମଡିଆରେ ଭାଇରାଲ୍ ହେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରକ୍ତ ଚାଉଳ ଚୋବାଇଥିଲେ ସୋର ବିଧାୟକ । ତେବେ ଅନେକ ସମୟରେ ଦେଖାଯାଉଛି ଖବର ସଂଗ୍ରହ କରିବା ପାଇଂ ଯାଉଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଏପରି ଭାବରେ ମରଣାନ୍ତକ ଆକ୍ରମଣ ହେଉଛି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏପରି ଭାବରେ ମାଡ ମରାଯାଇଥିବା ଘଟଣାକୁ ସାଧାରଣରେ ବିରୋଧ କରାଯାଇଛି ।