ମାଆକୁ ଡାକିନେଲା ମୃତ୍ୟୁ, ଝିଅ ଧରିଛି ମାଆର ପର୍ସ । ଅବାକ ହୋଇ କୁନିଝିଅ କହୁଛି ମୋ ମାଆ ପାଣି ପିଇବାକୁ ଯାଇଛି…

599

କନକ ବ୍ୟୁରୋ: ଆଖି ବୁଜିଲା ମାଆ, ଝିଅ ଆଗରେ ଚାଲିଗଲା ମାଆର ଜୀବନ । ଆଉ ମୃତ୍ୟୁର ଫାଶରୁ ଅଳ୍ପକେ ବର୍ତ୍ତି ଗଲା କୁନିଝିଅ । ବସରେ ସାଙ୍ଗ ହୋଇ ଯାତ୍ରା କରୁଥିଲେ ମାଆ ଝିଅ । ହେଲେ ବାଟରେ ଜଗିଥିବା ମୃତ୍ୟୁ ଯେ ମାଆକୁ ଛଡାଇ ନେଇ ଛୁଆକୁ ଅନାଥ କରିଦେବ ତାହା ଭାବିଲା ବେଳକୁ ଛାତିଥରି ଉଠୁଛି । ଓଃ କେଡେ ନିଷ୍ଠୁର ଏ ସମୟ । କେମିତି ବିତୁଥିବ ଏବେ ସେ କଅଁଳ କଢି ସହ । ମାଆ ଚାଲିଗଲା ଏବେ ସାହା ହେବ କିଏ । ଦୁର୍ଘଟଣା ପରେ ସମସ୍ତେ ନିଜ ନିଜକୁ ନେଇ ବ୍ୟସ୍ତ । ଅଜଣା ଜାଗାରେ କେମିତି କହିବ ତା ଘର କେଉଁଠି ? ତା ସମ୍ପର୍କୀୟ କିଏ? ଦୁନିଆକୁ କେତେବା ଜାଣିଛି ସିଏ । ମାଆର ହାତ ଧରି ବସରେ ବସିଥିଲା । ହେଲେ ସେହି ବସରେ ମାଆ ତା ହାତ ସବୁଦିନ ପାଇଁ ଛାଡି ଚାଲିଯିବ ବୋଲି ସେ ଭାବି ବି ନଥିଲା । ଦେଖୁ ନାହାନ୍ତି ତାକୁ କିଛି ପଚାରିଲା ବେଳକୁ ସେ କେମିତି ଅବାକ ହୋଇ ଏତେତେଣେ ଚାହୁଁଛି ।

ସୋର ବିଦୁ ଛକର ଛାତିଥରା ବସ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଏ କୁନି ଝିଅ ହରାଇଛି ମାଆ ଓ ତାର ଟିକି ଭାଇକୁ । ବସ ଦୁର୍ଘଟଣାରେ ମାଆ ପ୍ରାଣ ହରାଇଥିବା କଥା ଝିଅ ବି ଜାଣିନି । କେମିତି ବା ଜାଣିବ ଯେ, ମୃତ୍ୟୁ କଣ ଜାଣିନଥିବା ଝିଅକୁ କେମିତି ମାଲୁମ ହେବ ମୃତ୍ୟୁ ତା ମାଆକୁ ନେଇଯାଇଛି ବୋଲି । ଦୁର୍ଘଟଣା ପରେ ଯେତେବେଳେ ସେ ମାଆ ଓ ସାନ ଭାଇକୁ ଖୋଜିଛି, କଇଁ କଇଁ ହୋଇ କାନ୍ଦିଛି । ହୁଏତ କେହି ତାକୁ କହିଥିବେ ତୋ ମାଆ ପାଣି ପିଇବାକୁ ଯାଇଛି । ତେଣୁ ସେ ତା ନିରିହ କଣ୍ଠରେ କହୁଛି ମୋ ମାଆ ପାଣି ପିଇବାକୁ ଯାଇଛି ବୋଲି । ଆଉ ମାଆ ବସରେ ତା ହାତରେ ଧରାଇଥିବା ପର୍ସକୁ ସେ ଜାବୁଡି ଧରିଛି ।

ଉଦଳାରୁ ଭୁବନେଶ୍ୱର ଆସୁଥିବା ଶାନ୍ତିଲତା ବସ ଟ୍ରକ ସହ ଧକ୍କା ହୋଇ ସୋର ବିଦୁ ଛକରେ ଓଲଟିପଡିବା ପରେ କିଏ କେତେ ସମ୍ପର୍କ ହରାଇଛି । ଖବର ପାଇ ମୃତାହତଙ୍କ ସମ୍ପର୍କୀୟ ମେଡିକାଲରେ ପହଞ୍ଚୁଛନ୍ତି । ହେଲେ ଏ କୁନି ଝିଅର ଘର କେଉଁଠି, ତା ସମ୍ପର୍କୀୟ କିଏ , କିଛି ଜଣା ପଡୁନି । ତେଣୁ ଆମର ଅନୁରୋଧ ଯଦି କେହି କୁନି ଝିଅ ବାବଦରେ ଜାଣିଥିବେ ଦୟାକରି ତାକୁ ସାହାଯ୍ୟ କରନ୍ତୁ । ତା ସମ୍ପର୍କୀୟଙ୍କୁ ଡାକନ୍ତୁ । ମାଆକୁ ହରାଇଥିବା କୁନି ଝିଅର ବା ଆଉ କେତେ ସାହସ, ଏମିତି ସମୟକୁ ସାମ୍ନା କରିବାକୁ ।