ବାଟ ମଝିରେ ମିଳେଇଗଲା ବାହାଘରର ଖୁସି । ମାଉସୀ ଝିଅ ବାହାଘର ପାଇଁ ଯାଇ ପହଞ୍ଚିପାରିଲାନି କୁନିଝିଅ । ଦୁର୍ଘଟଣାରେ ବିଦାୟ ନେଲା ବିଜୟଲକ୍ଷ୍ମୀ…

1,861

କନକ ବ୍ୟୁରୋ: ବାହାଘର ପାଇଁ ଖୁସିଥିଲେ ସମସ୍ତେ । ମାଉସୀ ଝିଅ ବାହାଘର ପାଇଁ ଖୁସି ବି ଥିଲା ୧୦ ବର୍ଷର ଝିଅ ବିଜୟଲକ୍ଷ୍ମୀ । ମାମୁଘରେ ପହଞ୍ଚି, ମାଉସୀ ଘରକୁ ଯାଇଥାନ୍ତେ ଆଉ ସେଠି ଭଉଣୀ ବାହାଘରରେ ଧୂମ ମଜାମସ୍ତି କରିଥାନ୍ତା । ଏଇ ଖୁସି ନେଇ ମାଆ ଓ ବଡ ଭଉଣୀ ଭାଗ୍ୟଲକ୍ଷ୍ମୀ ସହ ମାମୁଘର ଆସୁଥିଲା କୁନିଝିଅ । ହେଲେ କିଏ ଜାଣିଥିଲା ଝିଅର ଖୁସି ନିମିଷକରେ ଉଭେଇଯିବ ବୋଲି । ମାମୁଘର ପହଞ୍ଚିବା ଆଗରୁ ମୃତ୍ୟୁ ବାଟ ମଝିରେ ମାଡି ବସିବ ବୋଲି ଆଉ ବାହାଘରରେ ହସଖୁସି କରିବା ବଦଳରେ କୁନିଝିଅ ବିଜୟଲକ୍ଷ୍ମୀ ସବୁଦିନ ପାଇଁ ବିଦାୟ ନେଇଯିବ ବୋଲି… ସୋର ବିଦୁଛକର ଛାତିଥରା ବସ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ମୃତକଙ୍କ ମଧ୍ୟରେ ଥିଲା ୧୦ ବର୍ଷର ଝିଅ ବିଜୟଲକ୍ଷ୍ମୀ । ଯିଏ ନିଜ ମାଉସୀ ଝିଅର ବାହାଘର ପାଇଁ ବସରେ ଆସୁଥିଲା…

ରବିବାର ବାହାଘର ଥିବାରୁ ଶନିବାର ଉଦଳାରୁ ଶାନ୍ତିଲତା ବସରେ ବସି ସୋର କୁରୁଡା ଆସୁଥିଲେ ମାଆ ଓ ଦୁଇଝିଅ । ଷ୍ଟପେଜ୍ ପରେ ଷ୍ଟପେଜ୍ ଯାଉଥିଲା, ମାମୁଘର ପାଖେଇ ଆସୁଥିଲା । ଆଉ ମନରେ ବି ମାମୁଘରେ ପହଞ୍ଚିବାର ଉତ୍ସୁକତା ବଢୁଥିଲା । ଆଉ କିଛି ଦୂର ଥିଲା । ବସ ସୋର ପହଞ୍ଚିଥିଲେ ସମସ୍ତେ ବସରୁ ଓହ୍ଲାଇଥାନ୍ତେ ଆଉ ମାମୁଘରକୁ ଯାଇଥାନ୍ତେ । ହେଲେ ମାମୁଘରର କିଛି ଦୂରରୁ ହିଁ ସବୁକିଛି ଓଲଟପାଲଟ ହୋଇଗଲା । ବିଦୁଛକରେ ଛିଡା ହୋଇଥିବା ଶାନ୍ତିଲତା ବସକୁ କୋଇଲା ବୋଝେଇ ଟ୍ରକ ହଠାତ୍ ପଛରୁ ପିଟିଲା । ଆଉ ଘଟଣାସ୍ଥଳରରେ କୁନିଝିଅର ପ୍ରାଣବାୟୁ ଉଡିଗଲା ।

ଡାଇଭର ପାଖ କ୍ୟାବିନରେ ମାଆ ଓ ଦୁଇ ଝିଅ ବସିଥିବା ବେଳେ ଦୁର୍ଘଟଣା ପରେ ଗୋଟିଏ ସିଟ୍ ଛିଟକି ଆସି ବିଜୟଲକ୍ଷ୍ମୀଙ୍କ କାନମୁଣ୍ଡରେ ଶକ୍ତ ଆଘାତ ଦେଇଥିଲା । ଆଉ ସେଇଠି ହିଁ ମାଆ ଆଗରେ ଗୋଟେ ଝିଅ ସବୁଦିନ ପାଇଁ ଆଖିବୁଜିଦେଲା, ମୃତ୍ୟୁ ମାଆର ହାତ ମୁଠାରୁ ତା ଛୁଆକୁ ଛଡେଇ ନେଲା । ଆଖି ସାମ୍ନାରେ ସାନଝିଅକୁ ହରାଇ ମାଆ ସ୍ଥାଣୁ ପାଲଟିଥିବା ବେଳେ ବାହୁନି ବାହୁନି କାନ୍ଦୁଛି… ଆଉ ଏ ଅଘଟଣ ପୂରା ପରିବାରରେ ଶୋକର ଛାୟା ଖେଳାଇଦେଇଛି ।

ତେବେ ହସଖୁସିର ମୁହୂର୍ତ୍ତରେ ଯେ ମୃତ୍ୟୁ ଏମିତି ଏକ କଳାଦାଗ ବୋଳିଦେବ ତାହା କେହି କେବେ ଭାବି ନଥିବା ବେଳେ ମାମୁଘର ଯିବା ବାଟରୁ ଯମ କୁନିଝିଅର ଜୀବନ ନେଇଯିବ ତାହା ସମସ୍ତଙ୍କୁ ହତବାକ୍ କରିଛି । ସତରେ ଏମିତି ଦୁଃଖ କାହାକୁ ନଆସୁ, କାହା ସହ ନଘଟୁ…