କନକ ବ୍ୟୁରୋ: ଆସନ୍ତା ୧୪ ତାରିଖରେ ଖୋଲିବ କି ରତ୍ନ ଭଣ୍ଡାର । ଯାଞ୍ଚ କମିଟିର ପ୍ରସ୍ତାବକୁ ନେଇ ଆଜି ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଏଥିରେ ରତ୍ନଭଣ୍ଡାର ପାଇଁ ଏସ୍ଓପି ଚୂଡାନ୍ତ ହୋଇଛି। ଯାହାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ଏବେ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା।

Advertisment

ରତ୍ନଭଣ୍ଡାରର ଯାଂଚ କମିଟି ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇସାରିଛି । ଆଉ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତଦାରଖ କମିଟି ପଠାଇଥିବା ବିବରଣୀ ଉପରେ ବିସ୍ତୁତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି, ମୋଡାଲିଟି ଚୂଡ଼ାନ୍ତ ହୋଇଛି । ରତ୍ନ ଭଣ୍ଡାର ତଦାରଖ କମିଟିର ଏସଓପି ଉପରେ ବିସ୍ତୃତ ଆଲୋଚନା ହୋଇଛି । ତଦାରଖ କମିଟି ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ଏକ ଏସଓପି ସୁପାରିସ କରିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଉ କିଛି ପ୍ରସ୍ତାବ ଏସଓପିରେ ସାମିଲ କରାଯାଇଛି ।

ଏବେ ଆସନ୍ତୁ ଦେଖିବା ଏସଓପିରେ କଣ ସବୁ ରହିଛି
-ତାଲା ନ ଖୋଲିଲେ ତାଲା ଭଙ୍ଗାଯିବ
-ଭିତରକାଠ ନିକଟ ଅଂଚଳରେ ଷ୍ଟ୍ରଙ୍ଗ ରୁମ୍ କରାଯାଇ ରତ୍ନ ଅଳଙ୍କାର ରଖାଯିବ
-ମଣତି ଓ ଗଣତି ପାଇଁ ଏସଓପିରେ ଉଲ୍ଲେଖ
-ରତ୍ନଭଣ୍ଡାର ଖୋଲିବା ସମୟରେ ନୀତି ସୁପରିଚାଳନା, ରତ୍ନ ଅଳଙ୍କାର ସୁରକ୍ଷା ପାଇଁ ସବ-କମିଟି ଗଠନ ପ୍ରସ୍ତାବ
-ମରାମତି ପରେ ଗଣତି ଆଦିକୁ ତଦାରଖ ପାଇଁ ସବ-କମିଟି ଗଠନ ପ୍ରସ୍ତାବ

ଚୂଡାନ୍ତ ଏସଓପିକୁ ରାଜ୍ୟ ସରକାରଙ୍କୁ ଦିଆଯିବ। ଆଉ ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ଖୋଲିବ ରତ୍ନ ଭଣ୍ଡାର । ମହାପ୍ରଭୁ ଶ୍ରୀମନ୍ଦିରରେ ନଥିବା ବେଳେ ରତ୍ନଭଣ୍ଡାର ଖୋଲିବା ନିଷ୍ପତିକୁ କିଛି ସେବାୟତ ସମର୍ଥନ କରୁନଥିବା କୁହାଯାଉଛି । ଶ୍ରୀଗୁଣ୍ଡିଚା ଯାତ୍ରା ଥିବାରୁ ଜିଲ୍ଲା ପ୍ରଶାସନ ସମୟ ମଧ୍ୟ ମାଗିଛି । ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ଏବେ ସମସ୍ତଙ୍କ ନଜର ରହିଛି ।