ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ସଂକେତ ଦେଲେ ରାଜ୍ୟ ସରକାର । କେମିତି ଖୋଲିବ, କଣ ରହିବ ଏସଓପି ନିଷ୍ପତି ନେବ ଗଣଶିକ୍ଷା ବିଭାଗ । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଲେ ଗାଇଡଲାଇନ୍ ପ୍ରସ୍ତୁତି ପୂର୍ବରୁ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବାକୁ ସଚିବଙ୍କୁ ନିର୍ଦ୍ଦେଶ

425

କନକ ବ୍ୟୁରୋ : ଆସନ୍ତା ୧୫ ତାରିଖ ପରେ ଖୋଲିପାରେ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ । ଏନେଇ ଗାଇଡଲାଇନ୍ ଜାରି କରି ଚୂଡାନ୍ତ ନିଷ୍ପତି ନେବ ସ୍କୁଲ ଓ ଗଣଶିକ୍ଷା ବିଭାଗ । ପୂର୍ବରୁ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବାକୁ ନିଷ୍ପତି ହୋଇଛି । ତେବେ ଏନେଇ ଅଂଶୀଦାର ସମସ୍ତ ପକ୍ଷଙ୍କ ସହିତ ସମସ୍ତ ଆଲୋଚନା କରି ସ୍କୁଲ ଖୋଲିବା ନେଇ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଆଉ ଏକ ନିର୍ଦ୍ଦେଶାବଳୀରେ କୁହାଯାଇଛି । ତେବେ ଅନ୍ୟ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ । ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ସମୀର ଦାଶ କହିଛନ୍ତି କେମିତି ପ୍ରସ୍ତୁତ ହେବ ଗାଇଡଲାଇନ୍ , ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବାକୁ ସଚିବଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।

ଏପଟେ ବିଏମସି କମିଶନର କହିଛନ୍ତି ସ୍କୁଲ ଖୋଲିବା ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁସାରେ ନିଷ୍ପତି ନିଆଯିବ । ସେହିପରି ଲୋକଙ୍କ ମତାତମ ଓ ମନ୍ଦିର କତୃପକ୍ଷଙ୍କ ସହ ଆଲୋଚନା ପରେ ମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

ସେପଟେ ପୁରୀ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ମତ ରଖିଛନ୍ତି ଦଇତାପତି ନିଯୋଗର ସମ୍ପାଦକ । କୋଭିଡ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନେଇ ପ୍ରଶାସନ ନିଷ୍ପତି ନେଲେ ସ୍ୱାଗତ କରିବେ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ଦୁର୍ଗା ଦାଶ ମହାପାତ୍ର । ସେହିପରି ମନ୍ଦିର ଖୋଲିବା ପ୍ରସଙ୍ଗରେ ଲିଙ୍ଗରାଜ ମନ୍ଦିରର ବଡୁ ନିଯୋଗ ସମିତି ସଂପାଦକ କମଳାକାନ୍ତ ବଡୁ କହିଛନ୍ତି, ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିବୁ । କିନ୍ତୁ ବର୍ତମାନ ସମୟରେ କରୋନା ଭୟ ଥିବାରୁ ଭାବି ଚିନ୍ତି ନିଷ୍ପତି ନେବା ଆବଶ୍ୟକ ।