ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ SOP ଜାରି । ମିଳିବନି ଏହିସବୁ ସୁବିଧା, ପଢ଼ନ୍ତୁ ପୂରା ଏସଓପି ।

393

କନକ ବ୍ୟୁରୋ: ଅଷ୍ଟମ ଓ ଏକାଦେଶ ଶ୍ରେଣୀ ଖୋଲିବା ପାଇଁ ଜାରି ହେଲା ଏସଓପି । ଏପରିକି ପଂଚାୟତ ରାଜ ସଚିବ ଏବଂ ଗଣ ଶିକ୍ଷା ସଚିବ ମିଳିତ ଭାବେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବା ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି । ପ୍ରାୟ ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ ପାଠ ପଢା କ୍ଷତିର ଭରଣା କରାଯିବ । ସେହିପରି ପ୍ରତିଦିନ ଘଂଟାଏ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠର ରିଭିଜନ କରିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ । ସକାଳ ୯ରୁ ପିଲାମାନେ ସ୍କୁଲ ଆସି ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଘରକୁ ଯିବେ ।

ତେବେ ସ୍କୁଲ ଖୋଲିବା ପୂର୍ବରୁ ଏସଏମସି ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହେବ । ପଂଚାୟତରାଜ ବିଭାଗର ତୃଣମୂଳ ସ୍ତରର ସଦସ୍ୟଙ୍କ ସହ ମିଶି ସ୍କୁଲ ଭିତିଭୂମିକୁ ସଜଡା ଯିବ । ସ୍କୁଲ ଖୋଲିବା ପରେ ସରକାରଙ୍କ ତରଫରୁ ଜାରି ହୋଇଥିବା ଏସଓପି କଡାକଡି ପାଳନ କରାଯିବ । ସ୍କୁଲ ସଫେଇ ଉପରେ ଗୁରୁତ୍ୱ ଦେବା ସହ କୋଭିଡ ନିୟମାବଳୀ ପାଳନ କରିବାକୁ କୁହାଯାଇଛି । ଡିଇଓ, ଡିପିସି ଏବଂ ବିଇଓ ମାନେ ନିୟମ ପାଳନ ନେଇ ତଦାରଖ କରିବେ ।

କରୋନା ମହାମାରୀ ଭିତରେ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବା ପରେ ଶୀଘ୍ର ସ୍କୁଲ ଖୋଲିବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସ୍କୁଲ ଖୋଲିବା ପରେ ଗଣଶିକ୍ଷ।। ବିଭାଗ, ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ । ସ୍କୁଲ ପିଲାଙ୍କର କଣ ସବୁ ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ ଟୀକା ନେଇଛନ୍ତି କି ନାହିଁ ସେ ଉପରେ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ।

ସବୁଠାରୁ ବଡ଼ କଥା ହେଲା କି, ସ୍କୁଲ ପିଲାଙ୍କୁ ଟୀକା ଦିଆଯାଇନଥିବା ବେଳେ ଏବେ ସ୍କୁଲ ଖୋଲିବାକୁ ଯାଉଛି । ତେଣୁ ବଡ଼ ଲୋକଙ୍କଠୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ରହିଛି, ଏନେଇ ସର୍ତକ କରାଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସ୍କୁଲର ଶିକ୍ଷକ, ଅଭିଭାବକ ସମସ୍ତେ ଟୀକା ନେଇଯିବା ଜରୁରୀ । ସେହିପରି ପିଲାଙ୍କ ଭିତରେ ବାରମ୍ବାର ସଚେତନତା ବୃଦ୍ଧି କରିବା ଆବଶ୍ୟକ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।