ଖୁବଶୀଘ୍ର ଭାରତ ଶୁଣିବ ଭଲ ଖବର… ଭଗବାନଙ୍କୁ ପ୍ରାର୍ଥନା, ବାହାରିବେ ଶ୍ରମିକ

123

କନକ ବ୍ୟୁରୋ: ଅପରାହ୍ନର ସୂର୍ଯ୍ୟାସ୍ତ ସହ ବୁଡିଗଲାଣି ଦିନ । ନଇଁ ଆସିଲାଣି ସଞ୍ଜ, ପୁଣି ମାଡି ଆସିଲାଣି ଅନ୍ଧାର । ରାତି ଟିକେ ବଢିଗଲେ ସୁଡଙ୍ଗ ଭିତରର ଅନ୍ଧାର ଆଉ ସୁଡଙ୍ଗ ବାହାରର ଅନ୍ଧାର ଏକାକାର ହୋଇଯିବ ସତ କିନ୍ତୁ ଆଜିର ଅନ୍ଧାର ଭିତରୁ ଉଇଁବ ଆଶାର ଆଲୋକ । ପାହାଡର ଛାତି ଚିରି ବାହାରିବେ ଶ୍ରମିକ । ସୁଡଙ୍ଗ ଭିତରେ ୧୬ ଦିନର ସଂଘର୍ଷର ହେବ ଅନ୍ତ, ଶ୍ରମିକ ଦେଖିବେ ଦୁନିଆ । ଟନେଲରେ ଫଶିଥିବା ୪୧ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସବୁ ପ୍ରକାର ବ୍ୟବସ୍ଥା ସରିଛି । ଟନେଲ ଭିତରରେ ଅସ୍ଥାୟୀ ମେଡିକାଲ ତିଆରି ହୋଇଛି, ଆମ୍ବୁଲାନ୍ସ ଆସି ଛିଡା ହୋଇଛି । ଆଉ ଏହାରି ଭିତରେ ଅପରେସନ ଜୀନ୍ଦେଗୀ ସଫଳ ହେବାକୁ କୋଟି କୋଟି ଭାରତୀୟ ପ୍ରାର୍ଥନା କରୁଛନ୍ତି । ଭଗବାନ ଭଲରେ ଭଲରେ ସେମାନଙ୍କୁ ବାହାର କରି ଆଣନ୍ତୁ ଏହି ଗୁହାରୀ କରୁଛନ୍ତି । ସମସ୍ତ ଆଶା, ସମସ୍ତ ବିଶ୍ୱାସ ଆଉ ଆସ୍ଥା ଆଶୀର୍ବାଦ ନେଇ ଶେଷରେ ସେମାନେ ଉଦ୍ଧାର ହେବେ । କାରଣ ବ୍ୟର୍ଥ ଯିବନି କୋଟି କୋଟି ଲୋକଙ୍କ ପ୍ରାର୍ଥନା ।

ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ନିକଟତର ପହଂଚିଲା ଏନଡିଆରଏଫ୍ ଟିମର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ଏବେବି ୨ ମିଟର୍ ଡ୍ରିଲିଂ ବାକି ରହିଛି । ଅର୍ଥାତ୍ ୫୮ ମିଟର୍ ଡ୍ରିଲିଂ ସରିଛି । ଏହାସହ ୪୫ ମିଟର ଭର୍ଟିକାଲ ଡ୍ରିଲିଂ ମଧ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ଏନଡିଏମ୍ଏ ଅଧିକାରୀ । କହିଛନ୍ତି, ଉଦ୍ଧାର କାମରେ ଏନଡିଆରଏଫ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ପ୍ରତି ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ୩ରୁ ୫ ମିନିଟ୍ ଲାଗିବ । ଅର୍ଥାତ୍ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୩ରୁ ୪ ଘଂଟା ସମୟ ଲାଗିବ । ତେଣୁ ଉଦ୍ଧାର ପାଇଁ କୌଣସି ତରବରିଆ ହେବାର ଆବଶ୍ୟକତା ନାହିଁ ।

ସୁରକ୍ଷା ପାଇଁ ସବୁ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏନଡିଏମ୍ଏ ଅଧିକାରୀ । ସେପଟେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଂଚିବା ଖବର ଆସିବା ପରେ ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ସ୍ୱତନ୍ତ୍ ଦ ‘ର୍ୟାଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।