ରାଉରକେଲାରୁ ଗଡ଼ିବ ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ : ୫୨.୫ ମେଟ୍ରିକ୍ ଟନ୍ ଲିକ୍ୟୁଇଡ଼ ମେଡିକାଲ ଅକ୍ସିଜେନ୍ ନେଇ ଯିବ ହରିୟାଣା

126

କନକ ବ୍ୟୁରୋ : ରାଉରକେଲାରୁ ଗଡ଼ିବ ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ । ଦେଶରେ ଲିକ୍ୟୁଇଡ଼ ମେଡ଼ିକାଲ ଅକ୍ସିଜେନ୍ ସଂକଟ ଭରଣା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଷ୍ଟ୍ରାୟତ ସଂସ୍ଥା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏହାକୁ ହରିୟାଣା ପଠାଯାଉଛି ।

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଅନବରତ ଲିକ୍ୟୁଇଡ଼ ଅକ୍ସିଜେନ୍ ଯୋଗାଣ ଜାରି ରଖିଥିବା ଆରଏସପି ଇତି ମଧ୍ୟରେ ୨୫ଶହ ମେଟ୍ରିକ ଟନରୁ ଉଦ୍ଧ୍ୱର୍ ଲିକ୍ୟୁଇଡ଼ ଅକ୍ସିଜେନ ଟ୍ୟାଙ୍କର ଯୋଗାଇସାରିଛି । ଏହାର ଯୌଥ ଉଦ୍ୟଗୋ ଲିଣ୍ଡୋ ଇଣ୍ଡିଆ ଇତି ମଧ୍ୟରେ ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ଉତର ପ୍ରଦେଶ, ଗୁଜୁରାଟକୁ ଅକ୍ସିଜେନ ଯୋଗାଇଆସୁଛି ।

ସେହିପରି ଆଜି ପ୍ରଥମ କରି ଆରଏସପି ପକ୍ଷରୁ ସ୍ୱତନ୍ତ୍ର ଅକ୍ସିଜେନ ଏକ୍ସପ୍ରେସ ମାଧ୍ୟମରେ ହରିୟାନାକୁ ଲିକ୍ୟୁଇଡ଼ ଅକ୍ସିଜେନ ପଠାଯିବା ପ୍ରକ୍ରିୟା ଜାରି ରହିଛି । ଲିଣ୍ଡୋ ଇଣ୍ଡିଆରୁ ମୋଟ ୫୨.୫ ମେଟ୍ରିକ ଟନ ଲିକ୍ୟୁଇଡ଼ ମେଡ଼ିକାଲ ଅକ୍ସିଜେନ ଭର୍ତି ୪ଟି ଟ୍ୟାଙ୍କରକୁ ପୁଲିସର କଡ଼ା ସୁରକ୍ଷା ବଳୟରେ ଷ୍ଟେସନକୁ ଅଣାଯାଇ ଲୋଡ଼ କରାଯାଇଛି । ବିନା ରହଣିରେ ଏହି ଅକ୍ସିଜେନ ଏକ୍ସପ୍ରେସ ଫରିଦାବାଦରେ ପହଂଚିବ ବୋଲି ରେଳବାଇ ପକ୍ଷରୁ ସୁଚନା ମିଳିଛି ।