କରୋନା କାଳରେ ଖୁସି ଖବର । ଖୁବଶୀଘ୍ର ୧୨-୧୮ ବର୍ଷର ପିଲାଙ୍କ ପାଇଁ ଟିକାକୁ ମିିଳିପାରେ ମଞ୍ଜୁରୀ !

109

କନକ ବ୍ୟୁରୋ : କେନ୍ଦ୍ର ସରକାର ଭ୍ୟାକ୍ସିନ ନୀତିକୁ ନେଇ ସୁପ୍ରିମ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି କି, ୧୨-୧୮ ବର୍ଷର ପିଲାମାନଙ୍କ ପାଇଁ ଜାଇଡସ୍ କାଡିଲାର କରୋନା ଟିକାକୁ ଖୁବଶୀଘ୍ର ମଞ୍ଜୁରୀ ପ୍ରଦାନ କରାଯିବ । କହିରଖୁ କି ଜାଇଡସ୍ କାଡିଲା କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି । ଅନ୍ୟପଟେ ୨ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଥିବା କୋଭାକ୍ସିନର ବି କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି ।

ସରକାର ସୁପ୍ରିମ କୋର୍ଟକୁ କହିଛନ୍ତି କି ଇତିହାସରେ ସବୁଠାରୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ସରକାର ଅପହଂଚ ଇଲାକାରେ ବି ଟିକା ପହଂଚାଉଛନ୍ତି । ଏନେଇ କେନ୍ଦ୍ର ସରକାର ୩୭୫ ପୃଷ୍ଟାର ଏକ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଏହି ରିପୋର୍ଟରେ କେନ୍ଦ୍ର ସରକାର କହିଛନ୍ତି କି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ୧୮୬.୬ କୋଟି ଖୋରାକ ଟିକାର ଆବଶ୍ୟକତା ରହିଛି । ଏହାସହ ଜୁନ୍ ୨୫ ସୁଦ୍ଧା ୩୧ କୋଟି ଲୋକଙ୍କୁ ଟିକା ଦିଆଯାଇଥିବା କଥା ସୁପ୍ରିମ କୋର୍ଟକୁ ସୂଚିତ କରିଛନ୍ତି କେନ୍ଦ୍ର ସରକାର ।

ଅନ୍ୟପଟେ ଏହି ରିପୋର୍ଟରେ କେନ୍ଦ୍ର ସରକାର କହିଛନ୍ତି କି, ୨୦୨୧ ଅଗଷ୍ଟ ମାସରୁ ଡିସେମ୍ବର ମାସ ମଧ୍ୟରେ ୧୩୫ କୋଟି ଟିକା ଉପଲବ୍ଧ ହେବ । ଏହା ମଧ୍ୟରୁ କୋଭିସିଲ୍ଡର ୫୦ କୋଟି, କୋଭାକ୍ସିନର ୪୦ କୋଟି ଓ ବାୟୋଲୋଜିକାଲ ଇ କମ୍ପାନୀ ୩୦ କୋଟି ଟିକା ଉପଲବ୍ଧ କରାଇବ । ଏହାହସ ଜାଇଡସ୍ କାଡିଲା ୫ କୋଟି ଓ ଋଷ ଟିକା ସ୍ପୁଟନିକ –ଭି ୧୦ କୋଟି ଟିକା ଯୋଗାଇବ ବୋଲି କୁହାଯାଇଛି ।