ରେଡ ପରେ ସୋନୁଙ୍କ ପ୍ରଥମ ବୟାନ: କହିଲେ ‘କର୍ ଭଲା ତୋ ହୋ ଭଲା’ । ସମର୍ଥନ ଜଣାଇଲେ କେଜ୍ରିୱାଲ

254

କନକ ବ୍ୟୁରୋ: ଆଇଟି ରେଡ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି  ଦେବଦୂତ ବୋଲାଉଥିବା ସୋନୁ ସୁଦ୍ । ଏହି ଘଟଣା ପରେ ପ୍ରଥମ ଥର ପାଇଁ ସୋସିଆଲ ସାଇଟରେ ମନ୍ତବ୍ୟ ରଖିଛନ୍ତି ସୋନୁ । ଏକ ସାୟରି ସହ ଆରମ୍ଭ କରିଛନ୍ତି ନିଜର ଏହି ପୋଷ୍ଟ ସେୟାର କରିଛନ୍ତି ।ଏହି ବୟାନରେ ସୋନୁ ଲେଖିଛନ୍ତି , ‘ସବୁବେଳେ ନିଜ ସପକ୍ଷରେ କହିବାର ଅବଶ୍ୟକ ନାହିଁ । ସମୟ ସବୁ ସତ କହିବ । ମୁଁ ମୋର ସମସ୍ତ ସମାର୍ଥ୍ୟ ଦେଇ ପୂର୍ଣ୍ଣ ହୃଦୟରେ ଲୋକଙ୍କ ସେବା କରିବାକୁ ପ୍ରତିଜ୍ଞା କରିଛି । ମୋ ଫାଉଣ୍ଡେସନର ଗୋଟିଏ ଗୋଟିଏ ଟଙ୍କା କୌଣସି ବ୍ୟକ୍ତିଙ୍କ ଜୀବନ ବଂଚାଇବାକୁ ଓ କୌଣସି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ଅପେକ୍ଷା କରିରହିଛି । ବିଜ୍ଞାପନର ବ୍ରାଣ୍ଡ ହିସାବରେ ପାଇଥିବା ପ୍ରାପ୍ୟକୁ ମଧ୍ୟ ମୁଁ ଲୋକଙ୍କ ପାଇଁ ଖର୍ଚ୍ଚ କରିଛି । ତେଣୁ ସବୁ କଠିନ ରାସ୍ତାରେ ବି ମୋର ଯାତ୍ରା ସହଜ ହୋଇଯିବ । କାରଣ ପ୍ରତି ହିନ୍ଦୁସ୍ତାନୀର ଆଶୀର୍ବାଦ ମୋ ସାଥୀରେ ଅଛି ।ଗତ ୪ ଦିନ ଧରି କିଛି ଅତିଥିଙ୍କ ଯୋଗୁଁ ମୁଁ ବ୍ୟସ୍ତ ଥିଲି ଏବେ ପୁଣି ଲୋକଙ୍କ ସେବା ପାଇଁ ପ୍ରସ୍ତୁତ ।’ ବୋଲି ସୋସିଆଲ ସାଇଟରେ ଦେଇଥିବା ବୟାନରେ ଉଲ୍ଲେଖ କରିଛନ୍ତି ସୋନୁ ସୁଦ୍ । ସୋନୁଙ୍କ ଏହି ବୟାନ ପରେ ଟ୍ୱିଟ କରି ତାଙ୍କୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ।

ସୂଚନା ମୁତାବକ, ସୋନୁ ସୁଦଙ୍କ ବିଭିନ୍ନ ଅଫିସରେ କ୍ରମାଗତ ୩ ଦିନ ଚଢଉ କରିଥିଲା ଆୟକର ବିଭାଗ । ସୋନୁ ୨୦ କୋଟି ଟଙ୍କା ଟିକସ୍ ଫାଙ୍କିଥିବା ଅଭିଯୋଗରେ ଏହି ଚଢଉ ହୋଇଥିଲା । କରୋନା ସମୟରେ ଲୋକଙ୍କୁ ସାହଯ୍ୟ କରିବା ନାଁରେ ସୋନୁ ମୋଟା ଅଙ୍କର ଆୟ କରିଥିବା ଆଇଟି ଅଭିଯୋଗ କରିଥିଲା ।ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧିରିଥିଲା । କିଛି ରାଜନୈତିକ ଦଳ ସୋନୁଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ତାଙ୍କ ବିରୋଧରେ ଯାଇଥିଲେ । ଆମ ଆଦମି ପାର୍ଟି ତାଙ୍କୁ ସମର୍ଥନ ଦେଉଥିବାବେଳେ ଉତ୍ତରପ୍ରଦେଶର ମହାନ ଦଳ ତାଙ୍କୁ ନିନ୍ଦା କରିଥିଲା ।ଦଳର ରାଷ୍ଟ୍ରିୟ ସଭାପତି କେଶବ ଦେବ ମୌର୍ଯ୍ୟ କହିଥିଲେ ଯେ, ସୋନୁଙ୍କ ଘରେ ଆଇଟି ରେଡ୍ ପଡିଛି । ତେଣୁ ଆଗକୁ ସୋନୁ ବିଜେପି ପାଇଁ ଭୋଟ ପ୍ରଚାର କରିବେ । ଏହାସହ ସୋନୁ କରୋନା କାଳରେ ବସ୍ ଚଳାଇ କରୋନାକୁ ବଢାଇଦେଇଥିଲେ ବୋଲି ମଧ୍ୟ ମୋର୍ଯ୍ୟ ଅଭିଯୋଗ କରିଥିଲେ । ହେଲେ ବିରୋଧୀଙ୍କ କଥାକୁ ସହଜତାର ସହ ଗ୍ରହଣ କରି ସମୟକୁ ଅପେକ୍ଷା କରିଥିବା କହିଛନ୍ତି ସୋନୁ ସୁଦ ।