କନକ ବ୍ୟୁରୋ : ନିର୍ବାଚନ ନେଇ ବିଭିନ୍ନ ସ୍ଥାନରେ ରାଜନୈତିକ ମାହୋଲ ସରଗରମ ହୋଇଛି । ୨୦୦୦ ମସିହାରୁ ବିଜେଡିର ଗଡ ଭାବରେ ପରିଚିତ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । ତିନୋଟି ବ୍ଲକ ସୋନପୁର ,ତରଭା, ଡୁଙ୍ଗୁରିପାଲୀ ଏବଂ ତରଭା ବିଜ୍ଞାପିତ ଅଚଂଳ ପରିଷଦ ଓ ସୋନପୁର ପୈାର ପରିଷଦକୁ ନେଇ ଗଠିତ ଏହି ନର୍ବାଚନ ମଣ୍ଡଳୀ । ଯେଉଁଠି ମୋଟ ୨ଲକ୍ଷ ୫୪ ହଜାର ୬୯୬ ଭୋଟର ରହିଛନ୍ତି । ଏଠାରେ ମାଳ ମାଳ ଆଶାୟୀ ଥିବା ବେଳେ ଏବେଠୁ ଦଳ ଦଳ ମଧ୍ୟରେ ଲାଗିଛି ଟକ୍କର । ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଗତ ୨୫ବର୍ଷରେ ହୋଇଥିବା ବିଭିନ୍ନ ବିକାଶ ଓ ଜନ ହିତକର ଯୋଜନାକୁ ନେଇ ବିଜେଡି ମଇଦାନକୁ ଓହ୍ଲାଇବ । ସେପଟେ ବିଜେପି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ପାଥେୟ କରି ନିର୍ବାଚନ ଲଢିବାକୁ ଯାଉଛି । କଂଗ୍ରେସ ଉଭୟ ସରକାରଙ୍କ ବିଫଳତାକୁ ଟାର୍ଗେଟ କରିଲାଣି । ତେବେ ତିନି ଦଳ ମଧ୍ୟରେ ଜୋରଦାର ରଣହୁଙ୍କାର ଦେଖିବାକୁ ମିଳିଲାଣି ।
ବିଜୁ ଜନତା ଦଳ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଉନ୍ନତିକୁ ମୁଦ୍ଦା କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଲଡିଙ୍ଗରୁ ନେଇ ରାସ୍ତା ଘାଟର ଉନ୍ନତି କରଣ , ଜଳ ସେଚନର ସୁବିଧା କୁ ନେଇ ନିର୍ବାଚନ ଜିତିବାର ଆଶା ରଖିଛି । ସେହିପରି ଭାରତିୟ ଜନତା ପାର୍ଟି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଭିନ୍ନ ଭିନ୍ନ ମୁଦ୍ଦା ନେଇ ନିର୍ବାଚନ ରଣାଙ୍ଗନାରେ ଓହ୍ଲାଇବାକୁ ରଣନୀତି ପ୍ରସ୍ତୂୁତ କରିଛନ୍ତି । ଚଳିତ ଥର ଭଲ ପ୍ରତିନିଧି ଓ ବିକାଶ ଦେଖି ଭୋଟ୍ ଦେବାକୁ ଭୋଟର ସ୍ଥିର କରିଥିବା ବେଳେ ତ୍ରୀକୋଣୀୟ ଲଢେଇ ନେଇ ମାହୋଲ ବି ବେଶ ସରଗରମ ହୋଇପଡିଲାଣି ।
ବିଗତ ନିର୍ବାଚନ ଗୁଡିକରେ ବିଜେଡିର ଗଡ ଥିବା ଏହି ଆସନ ଏଥର କିଏ ଜିତିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା ।