ଶୁଣିଲେନି ସରକାର, ଶୁଣିଲାନି ପ୍ରଶାସନ । ଶେଷରେ ଶ୍ରମିକଙ୍କ ଭଗବାନଙ୍କୁ ଦୁଃଖ ଶୁଣିବାକୁ ଗୁହାରୀ କଲା କୁନି ଝିଅ । ସୋନୁ କହିଲେ, ତୁ ବ୍ୟସ୍ତ ହଅନା, ଆଜିଠୁ ଦୂର ହୋଇଯିବ ସବୁ ଦୁଃଖ ।

1,132

କନକ ବ୍ୟୁରୋ : ସୋନୁ ସୁଦ୍ ଅଙ୍କଲ, ନମସ୍କାର । ମୁଁ ହାତଯୋଡି ଆପଣଙ୍କୁ ଅନୁରୋଧ କରୁଛି । ଆମ ଘରକୁ ବର୍ଷା ହେଲେ ପାଣି ପଶିଆସୁଛି । କେହି ଆମ କଥା ଶୁଣୁନାହାନ୍ତି । ସୋନୁ ଅଙ୍କଲ, ଆପଣ ଆମକୁ ସାହାଯ୍ୟ କରନ୍ତୁ ।

ଇଏ ଥିଲା ଶ୍ରମିକଙ୍କ ଭଗବାନ ସୋନୁ ସୁଦଙ୍କୁ ଜଣେ କୁନି ଝିଅର ଦୁଃଖଭରା ଗୁହାରି । ତା କୁନି କୁନି ପାଟିରେ ସୋନୁଙ୍କୁ ସାହାଯ୍ୟ ମାଗୁଛି ଏଇ କଅଁଳ କଢି ।

ମୁମ୍ବାଇ ମଲ୍ଲାଡ ଆମ୍ବେଦକର ନଗରରେ ନିଜ ବାପା ମା’ଙ୍କ ସହ ଏହି ଗରିବ କୁଡିଆରେ ରୁହେ ଏହି କୁନି ଝିଅ । ଟିକିଏ ବର୍ଷା ହେଲେ ଚାଳ ଛପର ଘର ଉପରୁ ପାଣି ଗଳିବା ସହ ଘରେ ଆଣଣ୍ଠୁଏ ଉଚ୍ଚର ପାଣି ପଶିଯାଏ । ଫଳରେ ଚଳିବା ତ ଦୂରର କଥା ଖାଇବାକୁ ଦିଓଳି ଦାନା ବି ମିଳେନି । କୌଣସି ନେତା କିମ୍ବା ସ୍ୱେଚ୍ଛାସେବୀ ସଂଗଠନ ପାଖରେ ଏହି କୁନି ଝିଅର ଦୁଃଖର କରୁଣ ସ୍ୱର ପହଂଚିପାରୁନଥିବା ବେଳେ ଶେଷରେ ସେ ଗରିବ ଲୋକଙ୍କ ଭଗବାନ କୁହାଯାଉଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଛି ।

କୁନି ଝିଅର ଏହି ନିବେଦନକୁ ଶୁଣିବା ପରେ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସୋନୁ । ଟ୍ୱିଟ୍ କରି ଲେଖିଛନ୍ତି, ଆଜି ପରଠୁ ଆପଣଙ୍କ ଛାତ ଉପରୁ ଆଉ ପାଣି ଗଳିବନି ।

ଯେଉଁ କାମ ଏକ ସରକାରକୁ କରିବା କଥା, ସରକାର ଆଉ ପ୍ରଶାସନ ନଶୁଣିବା ପରେ ଶେଷରେ ଦୁଃଖି ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ସୋନୁ ସୁଦ୍ । ଆଉ ସୋନୁଙ୍କ ଏଭଳି ମହାନତା ପାଇଁ ତାଙ୍କୁ ଶହେ ସଲାମ୍ ।