ସଙ୍କଟ ବେଳେ କେମିତି ସାହାଯ୍ୟ କରୁଛନ୍ତି ସୋନୁ ସୁଦ୍ । କ୍ଷୀରବାଲା କହିଲେ ମହାମାରୀର ମସିହାଙ୍କ କାହାଣୀ, ଭିଡିଓ ସେୟାର କଲେ ସୋନୁ ।

210

କନକ ବ୍ୟୁରୋ : ସଙ୍କଟ ବେଳେ କେମିତି ସାହାଯ୍ୟ କରୁଛନ୍ତି ସୋନୁ ? କ୍ଷୀରବାଲା କହିଲେ ମହାମାରୀର ମସିହାଙ୍କ କାହାଣୀ । ସୋନୁ ସୁଦ, ଏବେ ଏହା କେବଳ ଏକ ନାଁ ନୁହେଁ, କୋଟି କୋଟି ଲୋକଙ୍କ ନିଶ୍ୱାସ, ବିଶ୍ୱାସ ଆଉ ହୃଦୟରେ ସାଇତା ହୋଇ ରହିଥିବା ସୁନ୍ଦର ସ୍ମୃତି ଟିଏ । ଗତ ୧୪ ମାସ ହେଲାଣି କଷ୍ଟ ଦେଇଚାଲିଛି କରୋନା । ଆଉ ସଙ୍କଟ ସମୟରେ ଅସହାୟ, ଦୁଃଖି ଦରିଦ୍ରଙ୍କ ଦେବଦୂତ ସାଜିଛନ୍ତି ସୋନୁ ସୁଦ୍ । ତେବେ ସମସ୍ତଙ୍କ ମନରେ ନିହାତି ଭାବେ ଜାଣିବାକୁ ଇଚ୍ଛା ରହିଥିବ, ଯେ ଜଣେ ମଣିଷ କୋଟି କୋଟି ଲୋକଙ୍କ ହୃଦୟ କେମିତି ଜିଣିଲେ । କେମିତି ଏତେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସୋନୁ ।

ଯଦି ଏଭଳି ପ୍ରଶ୍ନର ଉତର ଆପଣ ଜାଣିବାକୁ ଚାହୁଁଛନ୍ତି, ତେବେ ସୋନୁ ସୁଦଙ୍କ ସହ ଗୋଟିଏ ଦିନ ରହିକି ଦେଖନ୍ତୁ । ଏକଥା ଆମେ କହୁନୁ, ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରି କ୍ୟାପସନରେ କିଛି ଏମିତି ଲେଖିଛନ୍ତି ସୋନୁ ।

ଏହି ଭିଡିଓରେ ଆପଣ ଯାହାଙ୍କୁ ଦେଖୁଛନ୍ତି, ସେ ହେଉଛନ୍ତି ସୋନୁଙ୍କ କ୍ଷୀରବାଲା ଗୁଡୁ ଭାଇ । ସୋନୁ ତାଙ୍କୁ ପଚାରୁଛନ୍ତି, ମୁଁ ଯେଉଁ ନମ୍ବରଟା ଆପଣଙ୍କୁ ଦେଇଥିଲି, ସେଥିରେ ଯେଉଁ କଲ୍ ସବୁ ଆସୁଛି, ଆପଣ ସମସ୍ତଙ୍କ କଥା ଶୁଣୁଛନ୍ତି କି ନାହିଁ । ସୋନୁଙ୍କ ପ୍ରଶ୍ନର ଉତର ଦେଇ କ୍ଷୀରବାଲା କହୁଛନ୍ତି, ସାହାଯ୍ୟ ପାଇଁ କେତେବେଳେ ରାତି ୧ଟାରେ କଲ୍ ଆସୁଛି, କେତେବେଳେ ରାତି ୪ଟାରୁ ବି । ଏପରିକି ସେ ବିରକ୍ତି ପ୍ରକାଶ ମଧ୍ୟ କରୁଛନ୍ତି । ସୋନୁ କହୁଛନ୍ତି, ତାଙ୍କ ପାଖକୁ ବି କଲ୍ ଆସୁଛି, ସେ ବି ଧୈର୍ଯ୍ୟର ସହ ଲୋକଙ୍କ କଥା ଶୁଣୁଛନ୍ତି । ସୋନୁଙ୍କୁ ଉତର ଦେଇ ଗୁଡୁ କହୁଛନ୍ତି, ମୋର ଆପଣଙ୍କ ଭଳି କାପାସିଟି ନାହିଁ ।

ତେବେ ଏହି ଭିଡିଓକୁ ସେୟାର କରି କ୍ୟାପସନରେ ସୋନୁ ଲେଖିଛନ୍ତି, ମୋ କ୍ଷୀରବାଲା ଗୁଡୁ ବି ହାତ ଟେକିଦେଇଛନ୍ତି । ସେ ଆଉ ବୋଝ ସମ୍ଭାଳିପାରୁନାହାନ୍ତି । ଯିଏବି ଏହା ଜାଣିବାକୁ ଚାହୁଁଛନ୍ତି, ଯେ ମୁଁ କେମିତି ଏତେ ଲୋକଙ୍କୁ ସାହାଯ୍ୟ କରୁଛି, ସେମାନେ ଆସନ୍ତୁ, ମୋ ସହ ଗୋଟିଏ ଦିନ ରହିକି ଦେଖନ୍ତୁ ।

ଦିନର ୨୪ ଘଂଟାରୁ ୨୨ ଘଂଟା ଧରି ଅହରହ ଲୋକଙ୍କୁ ସାହାଯ୍ୟ କରିବା କାମ କରୁଛନ୍ତି ସୋନୁ । ସେ କହିଛନ୍ତି ଦିନକୁ ତାଙ୍କୁ ୪୦ ହଜାରରୁ ୫୦ ହଜାର ରିକ୍ୱେଷ୍ଟ ଆସୁଛି । ସୋନୁ କୁହନ୍ତି, ଯଦି ସମୁଦ୍ରରେ କେହି ବୁଡିଯାଉଛି, ତେବେ ସାହାଯ୍ୟ ପାଇଁ ସମୁଦ୍ର ଭିତରକୁ ଡେଇଁବାକୁ ପଡିବ । ସମୁଦ୍ରର ଢେଉ ଆଉ ଲହରି ଆପଣଙ୍କୁ ପହଁରା ଶିଖାଇଦେବ । ସତରେ, ପରଦାର ଏହି ଖଳନାୟକ, ସତ ଜୀବନରେ କିନ୍ତୁ ନାୟକ ସାଜିଛନ୍ତି । ଆଉ ସେଇଥିପାଇଁ ତ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ହୃଦୟର ହିରୋ ସୋନୁ ସୁଦ୍ । ଆଉ ପୂରା ଦୁନିଆ ଆଜି ସୋନୁଙ୍କୁ ସାଲ୍ୟୁଟ୍ କରୁଛି ।