ମୈଦାନରେ ଯାହାଙ୍କ ହାତ ତିଆରି ବ୍ୟାଟରେ ବଡ ବଡ ରେକର୍ଡ କରିଛନ୍ତି ଖେଳାଳୀ, ସେ ଆଜି ମେଡିକାଲରେ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ । କଷ୍ଟ ଜାଣିବା ପରେ ସୋନୁ ବଢାଇଲେ ସାହାଯ୍ୟର ହାତ ।

849

କନକ ବ୍ୟୁରୋ : ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ଭଳି ମହାନ୍ ଖେଳାଳି ଯେଉଁ ବ୍ୟାଟରେ କ୍ରିକେଟ୍ ଇତିହାସରେ ଅଲୋଡା ରେକର୍ଡ କରିଛନ୍ତି, ସେହି ବ୍ୟାଟ୍ ପଛର କାରିଗର ଆଜି ଜୀବନ ସହ ସଂଘର୍ଷ କରୁଛନ୍ତି । ଅନେକ ଖେଳାଳୀଙ୍କ ରେକର୍ଡ ପଛରେ ପ୍ରକୃତ ରଥୀ ସାଜିଥିବା ବ୍ୟକ୍ତିଟିଏ କିନ୍ତୁ ଆଜି ଟଙ୍କା ପାଇଁ ଅସହାୟ ହୋଇପଡିଛି । ଏହି ଖବର ଗଣମାଧ୍ୟମରେ ଆସିବା ପରେ ମଧ୍ୟ କୌଣସି କ୍ରିକେଟର ତାଙ୍କୁ ସହାୟତା କରିନାହାନ୍ତି । କିନ୍ତୁ କରୋନା କାଳରେ ଶ୍ରମିକଙ୍କ ସାକ୍ଷାତ ଭଗବାନ ସାଜିଥିବା ସୋନୁ ସୁଦ୍ ଏବେ ଏହି କାରିଗରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

ଅସହାୟ ଅଶରଫଙ୍କୁ ସାହାଯ୍ୟ କରିବେ ସୋନୁ । ପୁଣି ହୃହୟ ଜିଣିଲେ ହୃଦୟର ହିରୋ । ଅଶରଫ ଭାଇ । ବଡ ବଡ କ୍ରିକେଟରମାନେ ମଧ୍ୟ ଏହି ନାଁ ସହ ଚିର ପରିଚିତ । କାରଣ ସେମାନଙ୍କ ରେକର୍ଡ ପଛରେ ଅସରଫଙ୍କର ମଧ୍ୟ ପରିଶ୍ରମ ରହିଛି । ଗତ କିଛି ସପ୍ତାହ ଧରି କିଡନୀ ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଅସରଫ । ତେବେ ଚିକିତ୍ସା ପାଇଁ ଅର୍ଥ ତାଙ୍କ ପାଇଁ ବାଧକ ସାଜିଛି ।

ତେବେ ଅସରଫଙ୍କ ଅସୁବିଧାର କାହାଣୀ ସୋନୁଙ୍କ କାନରେ ପଡିବା ପରେ ତୁରନ୍ତ ସାହାଯ୍ୟ କରିବାକୁ ଆଗେଇଆସିଛନ୍ତି ଶ୍ରମିକଙ୍କ ଭଗବାନ । ଟ୍ୱିଟ୍ କରି ଅଶରଫଙ୍କ ଠିକଣା ପଚାରିଛନ୍ତି ସୋନୁ । କୌଣସି କ୍ରିକେଟର ଅସରଫଙ୍କୁ ସାହାଯ୍ୟ କରିନଥିବା ବେଳେ ଏଭଳି ଦୁଃଖ ସମୟରେ ଦେବଦୂତ ସାଜି ଅଶରଫଙ୍କ ପାଖରେ ପହଂଚିଛନ୍ତି ସୋନୁ ସୁଦ୍ ।

କରୋନା କାଳରେ ହଜାର ହଜାର ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁଙ୍କୁ ଯିଏ ଯେଉଁଠୁ ବି ସାହାଯ୍ୟ ମାଗୁଛି, ତୁରନ୍ତ ସାଥୀ ସାଜି ପହଂଚିଯାଉଛନ୍ତି ସୋନୁ । ସତରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ସୋନୁ ସୁଦ୍ । ଗରିବ ଅସହାୟଙ୍କ ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ରିଲ୍ ଲାଇଫର ଏହି ଅଭିନେତା ଆଜି ପାଲଟିଯାଇଛନ୍ତି ରିଅଲ୍ ଲାଇଫର ହିରୋ । ଯିଏବି ସୋନୁଙ୍କ କାହାଣୀ ଶୁଣୁଛି, ସିଏ କହୁଛି ସଲାମ୍ ସୋନୁ ।