କେହି ରହିବେନି ବେରୋଜଗାର । କରୋନା କାଳରେ ଚାକିରି ହରାଇ ଥିବା ଲୋକଙ୍କୁ ସୋନୁ ଦେବେ ଇ-ରିକ୍ସା

166

କନକ ବ୍ୟୁରୋ : ଗରିବଙ୍କ ପାଇଁ ସେ ହେଉଛନ୍ତି ଭଗବାନ । ଏକଥା ଆମେ କହୁନୁ ଏକଥାକୁ ସେ ନିଜେ ହିଁ ପ୍ରମାଣ କରୁଛନ୍ତି । ଥରେ ନୁହେଁ କି ଦିଥର ନୁହେଁ ଅନେକ ଥର ଏହି କଥାକୁ ପ୍ରମାଣ କରି ସେ ନିଜର ମହାନତା ଦେଖାଇଛନ୍ତି । ଏବେ ପୁଣି ଏଭଳି ମହାନ କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ସୋନୁ ସୁଦ । କରୋନା ମହାମାରୀ ସମୟରେ ଚାକିରି ହରାଇଥିବା ଲୋକଙ୍କୁ ସାହାଯ୍ୟ କରିବେ ସୋନୁ । ‘ଖୁଦ କମାଓ ଘର ଚଲାଓ’ ଅଭିଯାନ ମାଧ୍ୟମରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବେ ସୋନୁ ।

ସୋନୁଙ୍କ ଲକ୍ଷ୍ୟ, ଦେଶରେ କେହି ରହିବେନି ଭୋକିଲା । ଲକଡାଉନଠାରୁ ଦେଶବାସୀଙ୍କ ସହ ଛିଡା ହୋଇଆସିଥିବା ସୋନୁ ଏବେ ବେରୋଜଗାରୀ ହଟାଇବାକୁ ନେଇଛନ୍ତି ଏହି ଛୋଟିଆ ପଦକ୍ଷେପ । ଲକଡାଉନ ସମୟରେ ଅନେକ ଲୋକ ନିଜ ଚାକିରି ହରାଇଛନ୍ତି । ଏହି ସମୟରେ ଗୋଟେ ଗରିବ ପରିବାର ପାଇଁ ଚଳିବା କଷ୍ଟକର ହୋଇପଡିଛି । ଯାହାକୁ ଅନୁଭବ କରିଛନ୍ତି ସୋନୁ । ସେଥିପାଇଁ ସେ ଲକଡାଉନ ସମୟରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏନେଇ ସୋନୁ ସୋନୁ ସୁଦ ଟ୍ୱିଟ କରି କହିଛନ୍ତି, ଆସନ୍ତାକାଲିର ବଡ ଲମ୍ଫ ପାଇଁ ଆଜି ଏକ ଛୋଟ ପଦକ୍ଷେପ ନେଇଛି । ଗରିବଙ୍କୁ ଇ-ରିକ୍ସା ଦେବାର ବ୍ୟବସ୍ଥା ହୋଇଛି । ଯାହା ଦ୍ୱାରା ଲୋକମାନେ ଛୋଟ ବ୍ୟବସାୟର ଆରମ୍ଭ କରିପାରିବେ । ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବାର ଏ ହେଉଛି ଛୋଟିଆ ପ୍ରୟାସ ।

ସୋନୁ ନିକଟରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ସମ୍ପତ୍ତି ବନ୍ଧା ରଖିଥିଲେ । ଯାହାର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା । ଲକଡାଉନ ସମୟରେ ଯେତେବେଳେ ପ୍ରବାସୀମାନେ ବାହାର ରାଜ୍ୟରେ ଫସି ରହିଥିଲେ, ସେତେବେଳେ ଆଗକୁ ଆସିଥିଲେ ସୋନୁ । ଆଉ ବସ କରି ଶ୍ରମିକଙ୍କୁ ଘରକୁ ପଠାଇଥିଲେ । ସେବେଠାରୁ ଏହି ସାହାଯ୍ୟ କରିବାର ଅଭିଯାନ ଜାରି ରଖିଛନ୍ତି ସୋନୁ । ଶିକ୍ଷା ଓ ସ୍ୱାସ୍ଥ୍ୟରୁ ବଞ୍ଚିତ ଥିବା ଅନେକ ଗରିବ ଲୋକଙ୍କୁ ସେ ସାହାଯ୍ୟର ହାତ ମଧ୍ୟ ବଢାଇଛନ୍ତି । ଏଭଳି କାମ କରି ବାରମ୍ବାର ହଜାର ହଜାର ଲୋକଙ୍କ ହୃଦୟ ଜିତୁଛନ୍ତି ସୋନୁ ସୁଦ ।