ମାଗଣାରେ ପାଠ ପଢିବେ ଗରିବ ଛାତ୍ରଛାତ୍ରୀ : ଅଧାରୁ ଆଉ କାହାର ବନ୍ଦ ହେବ ନାହିଁ ପାଠପଢା , ଛାତ୍ରବୃତ୍ତି ଯୋଜନା ଆରମ୍ଭ କଲେ ଅଭିନେତା ସୋନୁ ସୁଦ

500

କନକ ବ୍ୟୁରୋ : ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପଣ କରିଛନ୍ତି ଅଭିନେତା ସୋନୁ ସୁଦ । କରୋନା କାଳରେ ଶତାଧିକ ଲୋକଙ୍କୁ ସାହାଯ୍ୟ କରୁଥିବା ନେଇ ମଧ୍ୟ ପ୍ରତିଦିନ ଖବର ପ୍ରକାଶ ପାଉଛି । ତେବେ ସେବାକୁ ଜୀବନର ଉଦ୍ଦେଶ୍ୟ ରଖି କାମ କରୁଛନ୍ତି ସୋନୁ । ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସମସ୍ତଙ୍କ ହୃଦୟକୁ ବେଶ ସହଜରେ ଜିତିପାରିଥିଲେ ସୋନୁ ।

ସୋନୁ ଦେବେ ଛାତ୍ରବୃତ୍ତି
ଗରିବ ପିଲାଙ୍କୁ ମିଳିବ ମାଗଣା ଶିକ୍ଷା

ପାଠପଢା ପାଇଁ ଅର୍ଥ ସାଜିବ ନାହିଁ ବାଧକ

ତେବେ ବର୍ତମାନ ସମୟରେ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷା ଦେବାକୁ ଇଚ୍ଛା ରଖିଛନ୍ତି ଅଭିନେତା ସୋନୁ ସୁଦ । ସେ, ନିଷ୍ପତ୍ତି ନେଇଛନ୍ତି ଯେ, ପ୍ରତ୍ୟେକ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବେ । ମିଳିଥିବା ସୂଚନା ଅନୁସାରେ, ସୋନୁ ନିଜ ମାଆ ସରୋଜଙ୍କ ନାମରେ ଏକ ସ୍ୱତନ୍ତ୍ର ଛାତ୍ରବୃତି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଗରିବ ପିଲାମାନଙ୍କୁ ଛାତ୍ରବୃତ୍ତି ଯୋଗାଇ ଦିଆଯିବ । ଯେଉଁମାନେ ପାଠ ପଢିବା ପାଇଁ ଅର୍ଥ ପାଉନାହାନ୍ତି ସେମାନେ ନିଶ୍ଚିତ ଭାବରେ ଉପକୃତ ହେବେ ।

ଟଙ୍କା ଅଭାବରୁ ଯେମିତି କୌଣସି ପିଲାର ପାଠ ପଢାବନ୍ଦ ନହୁଏ ସେଥିଲାଗି ସୋନୁ ଏହି ଯୋଜନା କରିଛନ୍ତି । ଟ୍ୱିଟରେ ସୋନୁ ଲେଖିଛନ୍ତି ଯେ, ଆମର ଭବିଷ୍ୟତ ଆମର ଦକ୍ଷତା ଏବଂ ପରିଶ୍ରମ ନିର୍ଣ୍ଣୟ କରିବ । ଆମେ କେଉଁଠାରୁ ଆସିଛୁ ,ଆଉ ଆମର ଆର୍ଥିକ ସ୍ଥିତି କଣ ରହିଛି ତାହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । ମୋର କେବଳ ଗୋଟିଏ ପ୍ରୟାସ ବିଦ୍ୟାଳୟ ପରେ ଅଧ୍ୟୟନ ପାଇଁ ପୂର୍ଣ୍ଣ ବୃତ୍ତି ।

ବୃତ୍ତି ପାଇଁ କିଏ କରିପାରିବ ଆବେଦନ ?

ସୋନୁ ସୁଦଙ୍କ ନୂଆ ଅଭିଯାନ ଦେଶର ପ୍ରତ୍ୟେକ ଗରିବ ପିଲାଙ୍କ ମୁହଁରେ ନିଶ୍ଚିତ ଭାବରେ ହସ ଆଣିଦେବ । କାରଣ ସ୍ୱତନ୍ତ୍ର ବୃତ୍ତି ଯୋଜନା ମାଧ୍ୟମରେ ପିଲାମାନେ ଆର୍ଥିକ ସହାୟତା ପାଇବେ । ମିଳିଥିବା ସୂଚନା ଅନୁସାରେ, ସୋନୁ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତ କାର ଦେଇ କହିଛନ୍ତି ଯେ, ଲକଡାଉନ ସମୟରେ ପିଲାମାନଙ୍କ ପାଠ ପଢା ଗମ୍ଭୀର ଭାବରେ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଅନେକ ପିଲା ଅନଲାଇନରେ ପାଠ ପଢୁଛନ୍ତି କିନ୍ତୁ ସମସ୍ତେ ଏହାର ଲାଭ ପାଉନାହାନ୍ତି । ବର୍ତମାନ ସୋନୁ ଗରିବ ପିଲାଙ୍କୁ ମଧ୍ୟ ଏହି ସୁଯୋଗ ଦେବାକୁ ଇଚ୍ଛା ରଖିଛନ୍ତି ।

୨ ମାନଦଣ୍ଡ ପୂରଣ କଲେ ମିଳିବ ବୃତ୍ତି

ତେବେ ଏହି ଯୋଜନାରେ ସାମିଲ ହେବାକୁ ସୋନୁ ୨ଟି ମାନଦଣ୍ଡ ରଖିଛନ୍ତି । ପ୍ରଥମଟି ପିଲା ପାଠ ପଢାରେ ସ୍ମାର୍ଟ ଥିବ ଓ ଅନ୍ୟଟି ପରିବାରର ବାର୍ଷିକ ଆୟ ୨ ଲକ୍ଷରୁ କମ ଥିବ । ସୋନୁଙ୍କ କହିବା ଅନୁଯାୟୀ ଦେଶର କେତେକ ମନୋନୀତି ବିଶ୍ୱବିଦ୍ୟାଳୟ ସହ ସେ କଥା ହୋଇଛନ୍ତି ଏବଂ ସେମାନଙ୍କ ସହଯୋଗରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ଆଶା ରଖିଛନ୍ତି ।