ପ୍ରତ୍ୟାହାର ହେଲା କୃଷି ଆଇନ । ସୋନୁ ଓ ରିଚା ଖୁସି, ନିରାଶ ହୋଇ ଏମିତି କହିଲେ କଙ୍ଗନା ।

208

କନକ ବ୍ୟୁରୋ : ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ଚାଷୀ ସଙ୍ଗଠନରେ ଖୁସିରେ ଝୁମି ଉଠିଛନ୍ତି । ବିରୋଧୀ ମଧ୍ୟ ଚାଷୀଙ୍କ ସହ ଉତ୍ସବ ପାଳିଛନ୍ତି । ଚୀଷୀଙ୍କ ଆନ୍ଦୋଳନର ଜୟ ହୋଇଛି ବୋଲି ବିରୋଧୀ କହୁଛନ୍ତି । କେବଳ ବିରୋଧୀ ରାଜନେତା ନୁହଁନ୍ତି ବରଂ ବଲିଉଡରେ ମଧ୍ୟ ଏହି ଘୋଷଣା ପରେ ଖୁସିର ଲହର ଖେଳିଯାଇଛି । ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ନୂଆ କୃଷି ଆଇନ ପ୍ରତ୍ୟାହାର ପରେ ଖୁସି ବ୍ୟକ୍ତ କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ କିଛି ଲୋକପ୍ରିୟ ଚେହେରା ରହିଛନ୍ତି, ଯେପରିକି ସୋନୁ ସୁଦ, ତାପସୀ ପନ୍ନୁ, ରିଚା ଚଢାଙ୍କ ଭଳି କଳାକାର ।

କୃଷି ଆଇନ ପ୍ରତ୍ୟାହାର ପରେ ବଲିଉଡ ଅଭିନେତା ତଥା କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁ ସୁଦ୍ ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ସୋନୁ ଟ୍ୱିଟ୍ କରି ଲେଖିଛନ୍ତି, ଚାଷୀ ଏବେ ପୁଣିଥରେ ନିଜର କ୍ଷେତକୁ ଫେରିବେ, ଦେଶର ଚାଷଜମିରେ ପୁଣିଥରେ ଫସଲ ଦିଶିବ । ଏଭଳି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ନିଜର ଦାବି ରଖିଥିବାରୁ ଚାଷୀଙ୍କୁ ମଧ୍ୟ ଧନ୍ୟବାଦ ।  ଏଭଳି ଐତିହାସିକ ନିଷ୍ପତ୍ତି  ଚାଷୀଙ୍କ ପ୍ରକାଶ ପୁରବକୁ ଆହୁରି ଐତିହାସିକ କରିଛି । ଜୟ ଯବାନ, ଜୟ କିଷାନ ।

ସେହିଭଳି ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ଖୁସି ହୋଇଛନ୍ତି । ତାପସୀ ଲଗାତାର ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆସୁଛନ୍ତି । ଅନ୍ୟପଟେ ଅଭିନେତ୍ରୀ ରିଚା ଚଢା ଲେଖିଛନ୍ତି, ଜିତିଗଲେ ଆପଣ! ଆପଣଙ୍କର ବିଜୟ ଆମ ସମସ୍ତଙ୍କର ବିଜୟ ।

ଅନ୍ୟପଟେ ବିବାଦୀୟ ବୟାନ ପାଇଁ ଟ୍ୱିଟରରୁ ବିଦା ହୋଇଥିବା କଙ୍ଗନା ଇନଷ୍ଟାଗ୍ରାମରେ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ନିରାଶ ବ୍ୟକ୍ତ କରିଛନ୍ତି । ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରିବା ସହ କଙ୍ଗନା ଲେଖିଛନ୍ତି, ଏହା ବେଶ ଦୁଃଖଦାୟକ, ଲଜ୍ଜାଜନକ ଓ ବିଲକୁଲ ଗ୍ରହଣୀୟ ନୁହେଁ ।ଯଦି ସଂସଦକୁ ନିର୍ବାଚିତ ସରକାରଙ୍କ ବଦଳରେ ଲୋକ ରାସ୍ତା ଉପରେ ଆଇନ ତିଆରି କରିବେ ତେବେ ଏହା ଏକ ଜିହାଦୀ ଦେଶ । ସେହିମାନଙ୍କୁ ଶୁଭେଚ୍ଛା ଯେଉଁମାନେ ଏଭଳି ଚାହୁଁଥିଲେ । ଆଉ କଙ୍ଗନାଙ୍କ ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ପୁଣିଥରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଏହାପୂର୍ବରୁ ୨୦୧୪ ପରେ ଭାରତକୁ ପ୍ରକୃତ ସ୍ୱାଧୀନତା ମିଳିଛି ବୋଲି କହି ବିବାଦ ସୃଷ୍ଟି କରିଛନ୍ତି କଙ୍ଗନା । ଆଉ ଏବେ କଙ୍ଗନାଙ୍କ ଏଭଳି ଏକ ବୟାନକୁ ନେଇ ଚାଷୀ ସଙ୍ଗଠନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

କୃଷି ଆଇନକୁ ନେଇ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରହିବା ପରେ ଆଜି ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ କରିଛନ୍ତି ମୋଦୀ । ଏହାସହ ଆନ୍ଦୋଳନରତ କୃଷକଙ୍କୁ ଘରକୁ ଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ସଂସଦ ଅଧିବେଶନରେ ଆଇନ ପ୍ରତ୍ୟାହାର ନେଇ ସାମ୍ବିଧାନିକ ପ୍ରକ୍ରିୟା ଶେଷ କରାଯିବ । ମୋଦି କହିଛନ୍ତି, କୃଷିରେ ସୁଧାର ଆଣିବା ପାଇଁ ସରକାର ତିନିଟି ନୂଆ ଆଇନ ଆଣିଥିଲେ । ଏହା ଦ୍ୱାରା କ୍ଷୁଦ୍ର ଚାଷୀଙ୍କୁ ଅଧିକ ଶକ୍ତି ମିଳିଥାନ୍ତା ।

ନୂଆ ଆଇନ ପାଇଁ ଦୀର୍ଘ ବର୍ଷ ଧରି କୃଷକ, ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ ଦାବି ହୋଇ ଆସୁଥିଲା । ଯେତେବେଳେ ନୂଆ ଆଇନ ଆସିଥିଲା ସଂସଦରେ ଚର୍ଚ୍ଚା ହୋଇଥିଲା । ଦେଶର କୃଷକ ଓ କୃଷକ ସଂଗଠନ ଏହାକୁ ସ୍ୱାଗତ କରିଥିଲେ । ହେଲେ ନୂଆ ଆଇନ ନେଇ ଗୋଟିଏ କୃଷକ ଗୋଷ୍ଠୀ ବିରୋଧ କରୁଥିଲେ ।ସରକାର କୃଷି ଆଇନରେ ପରିବର୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ । ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଏହା ସତ୍ୱେ ସେମାନଙ୍କୁ ବୁଝାଯାଇ ପାରିନଥିଲା ନାହିଁ । ତେଣୁ କୃଷକଙ୍କ ସ୍ୱାର୍ଥ ପାଇଁ ତିନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯାଇଥିବା ମୋଦି ଘୋଷଣା କରିଛନ୍ତି ।