କୃଷକ ଆନ୍ଦୋଳନକୁ ସୋନୁ ସୁଦ୍ ଙ୍କ ସମର୍ଥନ । ଟ୍ୱିଟ୍ ଯୋଗେ ସମର୍ଥନ ଜଣାଇ କହିଲେ କୃଷକ ମୋ ପାଇଁ ଭଗବାନ

257

କନକ ବ୍ୟୁରୋ : ନୂତନ କୃଷି ଆଇନକୁ ବିରୋଧ କରି ଦୁଇଦିନ ହେବ କୃଷକ ମାନେ ଆନ୍ଦୋଳନ ଚଳାଇଛନ୍ତି । ପଂଜାବ, ହରିଆଣା ଓ ଦେଶର ଅନ୍ୟ ଭାଗରୁ ଚାଷୀ ମାନେ ରାଲି କରି ଦିଲ୍ଲୀରେ ପହଂଚିବାକୁ ଚାହୁଁଥିବା ବେଳେ ରାସ୍ତାରେ ପୋଲିସ ସେମାନଙ୍କ ଉପରେ ଦମନଲୀଳା ଚଳାଇଛି । ଏନେଇ କିଛି ରାଜ୍ୟର ସୀମାକୁ ମଧ୍ୟ ସିଲ୍ କରିଛି ପୋଲିସ । କୃଷକ ମାନଙ୍କୁ ରାଜଧାନୀ ଦିଲ୍ଲୀରେ ନପହଂଚାଇ ଦେବାକୁ ପୋଲିସ ପୁରା ଦମ୍ ରେ ଲାଗିପଡିଥିବା ବେଳେ କୃଷକ ମାନେ ବି ଏଥର ଦିଲ୍ଲୀରେ ପହଂଚିବାକୁ ପୁରା ଚେଷ୍ଟା ଚଳାଇଛନ୍ତି । ଏହି ଆନ୍ଦୋଳନକୁ ବଲିଉଡର ଅନେକ କଳାକାର ସମର୍ଥନ ଜଣାଇଥିବା ବେଳେ ଜଣାଶୁଣା ସମାଜସେବୀ ତଥା ବଲିଉଡ କଳାକାର ମଧ୍ୟ ଟ୍ୱିଟ୍ ମାଧ୍ୟମରେ ଆଜି କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣାଶୁଣା ଅଭିନେତା ସୋନୁ ସୁଦ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ କୃଷକ ମାନେ ତାଙ୍କ ପାଇଁ ଭଗବାନ ବୋଲି ଟ୍ୱିଟ୍ ରେ ଲେଖିଛନ୍ତି ।
ସୋନୁ ସୁଦ୍ ଙ୍କର ଏହି ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ବି ଶହ ଶହ ରି ଟ୍ୱିଟ୍ କରୁଛନ୍ତି ଲୋକମାନେ । କହିରଖୁ କି କିଛିଦିନ ହେବ ସୋନୁ ସୁଦ୍ ସୋସିଆଲ ମିଡିଆରେ ବେସ୍ ଆକ୍ଟିଭ୍ ରହୁଛନ୍ତି । ଏହା ସହ ସମସାମୟିକ ମୁଦ୍ଦାକୁ ନେଇ ବି ତାଙ୍କ ମତ ରଖୁଛନ୍ତି । କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଅନ୍ୟ କଳାକାର ମାନଙ୍କ ଭିତରେ ଅଛନ୍ତି ତହସୀନ ପୁନାୱାଲା । ନିର୍ଦ୍ଦେଶକ ଔନିର, ସ୍ୱରା ଭାସ୍କର ।
ସୂଚନା ଥାଉକି କୃଷକ ଆନ୍ଦୋଳନକୁ ରୋକିବା ପାଇଁ ଦିଲ୍ଲୀ ସହିତ ଯୋଡି ହୋଇଥିବା ସମସ୍ତ ସୀମାରେ ସୁରକ୍ଷାକର୍ମୀ ମାନେ ମହଜୁଦ୍ ଅଛନ୍ତି । ବିଭିନ୍ନ ଉପାୟରେ କୃଷକ ଆନ୍ଦୋଳନକୁ ପୋଲିସ ଦମନ କରିବାକୁ ଚାହୁଁଥିବା ବେଳେ କୃଷକ ମାନେ ବି ନଛୋଡବନ୍ଧା । ପୋଲିସ ସହିତ ସୀମାରେ ବି ରାତି ସାରା କୃଷକ ମାନେ ଏକତ୍ରିତ ହୋଇ ରହିଥିବା ଦେଖିବାକୁ ମିିଳିଛି । ପୋଲିସ ପକ୍ଷରୁ କୃଷକ ମାନଙ୍କ ଉପରେ ପାଣି ମାଡ, ଲୁହବୋହା ଗ୍ୟାସ ପ୍ରୟୋଗ କରାଯାଉଥିଲେ ବି ସେମାନେ କୌଣସି ହାଲତରେ ଦିଲ୍ଲୀରେ ପହଂଚିବାକୁ ପ୍ରୟାସ ଜାରି ରଖିଛନ୍ତି ।