ସୋନୁ ସୁଦଙ୍କ ନୂଆ ମିଶନ । ପ୍ରବାସୀଙ୍କ ପରେ ଏବେ ଛାତ୍ରଛାତ୍ରୀଙ୍କୁ ଆଣିବେ ବିଦେଶରୁ, ଦିଲ୍ଲୀରୁ ଗଲା ସ୍ପାଇସଜେଟର ୯ ଚାଟାର୍ଡ ବିମାନ । 

247

କନକ ବ୍ୟୁରୋ : ସୋନୁ ସୁଦ । ଏହି ନାଁ ବୋଧହୁଏ ଦେଶରେ କାହା ପାଇଁ ଆଉ ଅଛପା ନଥିବ । ମହାମାରୀରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇ ପୂରା ଦେଶବାସୀଙ୍କ ମନ ଜିଣିଥିବା ସୋନୁ ଏବେ ନୂଆ ମିଶନ ଆରମ୍ଭ କରିଛନ୍ତି । ପ୍ରବାସୀଙ୍କ ନଜରରେ ଭଗବାନ ପାଲଟି ଯାଇଥିବା ସୋନୁ ଏବେ ବିଦେଶରୁ ଛାତ୍ରଛାତ୍ରୀଙ୍କୁ ଆଣିବାକୁ ନୂଆ ମିଶନ ଆରମ୍ଭ କରିଛନ୍ତି । ସ୍ପାଇସଜେଟ ଏୟାରଲାଇନ୍ସ ସହ ମିଶି ବିଦେଶରେ ଫଶିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସୋନୁ ସୁଦ୍ । ସ୍ପାଇସଜେଟ ଓ ସୋନୁଙ୍କ ମିଳିତ ଉଦ୍ୟମରେ ୯ଟି  ଚାଟାର୍ଡ ବିମାନ ଜରିଆରେ ଆସନ୍ତା ୧୦ ଦିନ ମଧ୍ୟରେ ୨୫୦୦ ଛାତ୍ରଛାତ୍ରୀଙ୍କୁ ବିଦେଶରୁ ଅଣାଯିବ । ଏପରିକି ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ଗୁରବାର ରାତିରେ କିର୍ଗିସ୍ତାନରୁ ୧୩୫ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିଛନ୍ତି ସୋନୁ ସୁଦ୍  । ଆଉ ବିମାନ ଭିତରୁ ଭିଡ଼ିଓ କରି ସୋନୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।

ଲକଡାଉନ ଆରମ୍ଭରୁ ହିଁ ସୋନୁ ସୁଦ୍ ବିଭିନ୍ନ ସ୍ଥାନରେ ଫଶିଥିବା ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢାଇ  ଏବେ ଘରେ ଘରେ ପରିଚିତ ହୋଇ ସାରିଲେଣି ସୋନୁ । ଏପରିକି କୌଣସି ଲୋକ ବାହାରେ ଫଶିଥିଲେ ସରକାରଙ୍କୁ ଜଣାଇବା ଅପେକ୍ଷା ସୋନୁ ସୁଦଙ୍କୁ ଜଣାଇବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ସରକାରଙ୍କ ଠାରୁ ଆହୁରି ଶୀଘ୍ର ସହାୟତାର ହାତ ବଢାଉଛନ୍ତି ସୋନୁ ।  ଆଉ ଏଭଳି ପ୍ରବାସୀଙ୍କୁ ସାହାଯ୍ୟ କରିବା ଭିତରେ କିର୍ଗିସ୍ତାନରେ ଫଶି ରହିଥିବା ମେଡିକାଲ ଛାତ୍ରଛାତ୍ରୀ ସେମାନଙ୍କୁ ଭାରତକୁ ଫେରାଇ ଆଣିବାକୁ ସୋନୁଙ୍କୁ ଟ୍ୱିଟରରେ ଜଣାଇଥିଲେ । ଯାହା ଜାଣିବା ପରେ ନୂଆ ମିଶନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସୋନୁ । ବିଦେଶରେ ଫଶିଥିବା ଛାତ୍ରଛାତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରିବା ସହ ଏମାନଙ୍କୁ ଫେରାଇ ଆଣିବା ପାଇଁ ଏକ ଟିମ୍ ତିଆରି କରିଥିଲେ ।

ତାଲିକା ପ୍ରସ୍ତୁତ, ଟିମ୍ ବି ପ୍ରସ୍ତୁତ ଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କୁ କେମିତି ବିଦେଶରୁ ଅଣାଯିବ ସେ ବାବଦରେ ଯେତେବେଳେ ଚିନ୍ତା କରାଗଲା ସେତେବେଳେ ସହାୟତାର ହାତ ବଢାଇଥିଲା ସ୍ପାଇସଜେଟ । ସୋନୁଙ୍କ ଅନୁରୋଧକ୍ରମେ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ୯ଟି ଚାଟାର୍ଡ ବିମାନ ଉଡାଇବାକୁ ରାଜି ହୋଇଥିଲା ସ୍ପାଇସଜେଟ । ଏଥିପାଇଁ ସୋନୁ ମଧ୍ୟ ସ୍ପାଇସଜେଟକୁ ଧନ୍ୟବାଦ ଜଣାଇଛନ୍ତି ।

ଏସବୁ ଭିତରେ କିର୍ଗିସ୍ତାନରୁ ଛାତ୍ରଛାତ୍ରୀଙ୍କୁ ନେଇ ସ୍ପାଇସ ଜେଟର ପ୍ରଥମ ବିମାନ ଭାରତରେ ପହଞ୍ଚିଛି । ଏପରିକି ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ୨୫୦୦ରୁ ୨୬୦୦ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଅଣାଯିବ ବୋଲି କହିଛନ୍ତି ସୋନୁ । ଆଜି ଆଉ ଏକ ବିମାନ କିର୍ଗିସ୍ତାନରୁ ଭାଇଜାଗକୁ ଆସିବ ବୋଲି ସୂଚନା ଦେଇଛନ୍ତି ସୋନୁ । ଆଉ ସୋନୁଙ୍କ ଏଭଳି କାର୍ଯ୍ୟକୁ ଏବେ ପୂରା ଦେଶ ସଲାମ କରୁଛି ।