କନକ ବ୍ୟୁରୋ : ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିବା ଅଭିନେତା ସୋନୁ ସୁଦ ଏବେ ପୁଣିଥରେ ଚର୍ଚ୍ଚାରେ । ସେତେବେଳେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସୋନୁ ଦେଶର ପ୍ରତିଟି ଘରର ସୁନା ପୁଅ ପାଲଟି ଯାଇଥିଲେ । ଆଉ ଏବେ ସୋନୁ ପୁଣିଥରେ ସେହିଭଳି ଏକ କାମ କରି କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇ ଏବେ ସୋନୁ ଖବରର ଶିରୋନାମା ପାଲଟିଛନ୍ତି । ପଞ୍ଜାବର ମୋଗା-ଭଟିଣ୍ଡା ରୋଡରେ ଦୁଇଟି କାର ମଧ୍ୟରେ ଭୟଙ୍କର ଧକ୍କା ହେବା ଫଳରେ ଜଣେ ଯୁବକ କାର ଭିତରେ ହିଁ ଫଶି ରହିଥିଲେ । ଆଉ ଏହି ସମୟରେ ସୋନୁ ସେହି ବାଟ ଦେଇ ଯାଉଥିବା ବେଳେ ଦୁର୍ଘଟଣାସ୍ଥଳରେ ଅଟକିବା ସହ ଯୁବକଙ୍କୁ କାର ଭିତରୁ ବାହାର କରି ଜୀବନ ବଞ୍ଚାଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଭୟଙ୍କର ଦୁର୍ଘଟଣା ପରେ କାର ଭିତରେ ଯୁବକ ଜଣକ ଗୁରୁତର ଆହତ ଅବସ୍ଥାରେ ଫଶି ରହିଥିଲେ । ଏହି ସମୟରେ ସୋନୁ ସେହି ବାଟରେ ଯାଉଥିବାରୁ ଗାଡି ଅଟକାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । କାର ଭିତରୁ ଯୁବକଙ୍କୁ ଉଦ୍ଧାର କରିବା ସହ ନିଜ ହାତରେ ଯୁବକଙ୍କୁ ଉଠାଇ ନିଜ କାର ଭିତରକୁ ନେଇଥିଲେ । ପରେ ଆହତ ଯୁବକଙ୍କୁ ହସ୍ପିଟାଲ ନେଇଥିଲେ ସୋନୁ । ଆଉ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିବାରୁ ଯୁବକଙ୍କ ଜୀବନ ବଞ୍ଚି ଯାଇଥିଲା ।
An accident had happened at Kotkapura bypass in Moga last night.
By Gods grace, As always @SonuSood could save this young boys life. #SonuSood@SoodFoundation#ThanksForSavingAsAlways#SaviourSonuSoodBe Safe & Drive Slow!! pic.twitter.com/tdx5Rd1ELA
— Shivam Bangwal (@shivam_bangwal) February 9, 2022
ମିଡିଆ ରିପୋର୍ଟ ମୁତାବକ, ମୋଗା-ଭଟିଣ୍ଡା ରୋଡରେ ଦୁଇ କାର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଦୁଇ କାର ପରସ୍ପରକୁ ଏତେ ଜୋରରେ ଧକ୍କା ଦେଇଥିଲେ ଯେ, କାର ଆଗ ପାଶ୍ୱର୍ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଏପରିକି ଆହତ ଯୁବକ ଜଣକ ଯେଉଁ ଗାଡିରେ ଫଶିଥିଲେ ତାହା ଦୁର୍ଘଟଣା ପରେ ସେଣ୍ଟ୍ରାଲ ଲକ ହୋଇଯାଇଥିଲା । ଯାହା ଫଳରେ ଯୁବକ ଜଣକ ବାହାରକୁ ଆସି ପାରିନଥିଲେ । ତେବେ ସୋନୁ କୌଣସି ମତେ ଆହତ ଯୁବକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଆଉ ସୋନୁଙ୍କ ଏଭଳି ପ୍ରୟାସ ପାଇଁ ଜଣେ ଯୁବକଙ୍କ ଜୀବନ ବଞ୍ଚିଥିବାରୁ ଏବେ ଅନେକ ଲୋକ ପ୍ରଶଂସା କରିଛନ୍ତି । ଏବେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ମୋଗା ଆସନରୁ ନିର୍ବାଚନ ଲଢୁଛନ୍ତି । ଆଉ ନିଜ ଭଉଣୀଙ୍କ ପାଇଁ ପ୍ରଚାର କରିବାକୁ ଏବେ ସୋନୁ ପଞ୍ଜାବରେ ଡେରା ପକାଇଛନ୍ତି ।