କନକ ବ୍ୟୁରୋ: ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କୁ ପଂଜାବ ଆଇକନ୍ ପଦରୁ ହଟାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସୋନୁ ନିଜେ ନିଜ ଇଚ୍ଛାରେ ଏହି ପଦରୁ ଓହରିଯାଇଥିବା କହିଛନ୍ତି । ପରିବାରର ଜଣେ ସଦସ୍ୟ ଆଗାମୀ ନିର୍ବାଚନରେ ସାମିଲ ହେଉଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।
ବର୍ଷକ ପୂର୍ବରୁ ପଂଜାବ ନିର୍ବାଚନ କମିଶନ୍ ସୋନୁ ସୁଦଙ୍କୁ ପଂଜାବ ‘ଆଇକନ’ ଭାବେ ନିଯୁକ୍ତ କରିଥିଲେ । ହେଲେ ଏହି ପଦକୁ ଜାନୁଆରୀ ୪ ତାରିଖରେ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ ।କହିରଖୁଁ କି, ଗତ ନଭେମ୍ବର ମାସରେ ରାଜନୀତିରେ ସୋନୁଙ୍କ ପ୍ରବେଶକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ପ୍ରତ୍ୟାକ୍ଷାନ କରିଥିଲେ ସୋନୁ ସୁଦ । ଆଉ କହିଥିଲେ ସେ ନୁହଁନ୍ତି ବରଂ ତାଙ୍କ ଭଉଣୀ ରାଜନୀତି ଦୌଡରେ ଭାଗନେବେ ।
କରୋନାର ପୂର୍ବ ଲହର ମାନଙ୍କରେ ଦେଶରେ ହଇଚଇ ସୃଷ୍ଟିି ହୋଇଥିବାବେଳେ ସୋନୁ ସୁଦଙ୍କ ଅବଦାନ ଅବିସ୍ମରଣୀୟ । ଦୂରଦୂରାନ୍ତରୁ ସ୍ଥାନାନ୍ତରିତ ହେଉଥିବା ଲୋକଙ୍କୁ ଘରେ ପହଞ୍ଚାଇବାର ବ୍ୟାପକ ବ୍ୟବସ୍ଥା କରିଥିଲେ । କରେନାରେ ଜୀବିକା ହରାଇ ସମସ୍ୟାରେ ଥିବା ଲୋକଙ୍କ ପାଖରେ ଅବଶ୍ୟକୀୟ ସୁବିଧା ଯୋଗାଇଦେଇଥିଲେ । ସେଥିପାଇଁ ଲୋକେ ତାଙ୍କୁ ଦେବଦୂତ ବୋଲି ଆଖ୍ୟା ଦେଇଥିଲେ । ଏହାପରେ ପଂଜାବ ସରକାର ସୋନୁ ସୁଦଙ୍କୁ ରାଜ୍ୟର ପ୍ରତୀକ ଭାବେ ନିଯୁକ୍ତ କରିଥିଲେ । ହେଲେ ଭଉଣୀର ରାଜନୀତିରେ ପ୍ରବେଶ ପରେ ତାଙ୍କୁ ଏହି ପଦ ଛାଡିବାକୁ ପଡିଛି । ସୂଚନା ମୁତାବକ, ସୋନୁଙ୍କ ଭଉଣୀ ମାଲବିକା କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥିପାଇଁ ସେ ର୍ୟାଲି ସଭାରେ ମଧ୍ୟ ଯୋଗ ଦେବା ଆରମ୍ଭ କଲେଣି ।