ବିଶ୍ୱ କଲା ସୋନୁଙ୍କ ବାଃ ବାଃ । ବଡ଼ ବଡ଼ ହିରୋ ହିରୋଇନ୍ ଡ୍ରଗ୍ସ ଲିଙ୍କରେ ଛନ୍ଦି ହୋଇଥିବା ବେଳେ, ପରଦାର ଖଳନାୟକ ସୋନୁ ସୁଦଙ୍କ ପ୍ରଂଶସା କରୁଛି ବିଶ୍ୱ । ଶ୍ରମିକଙ୍କ ଭଗବାନ ସୋନୁଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କଲା ଜାତିସଂଘ ।

1,837

କନକ ବ୍ୟୁରୋ : ସୋନୁ ସୁଦ୍ । ବଡ଼ ପରଦାରେ ଯାହାଙ୍କୁ ଆମେ ଖଳନାୟକ ଭାବେ ଦେଖିଛେ, ଆଜି ସାରା ବିଶ୍ୱର ସିଏ ହିରୋ । ସେ ଅସହାୟଙ୍କ ଅନ୍ନଦାତା ସାଜିଛନ୍ତି, ଦୁଃଖୀ, ଦରିଦ୍ର ଲୋକଟିଏ ପାଖରେ ଦେବଦୂତ ହୋଇ ପହଂଚିଛନ୍ତି ଆଉ ଲକଡାଉନ୍ ବେଳେ ବିପଦରେ ଫସିଥିବା ଶ୍ରମିକଙ୍କ ସାକ୍ଷାତ ଭଗବାନ ପାଲଟିଛନ୍ତି । ସାରା ଭାରତର ସୁନା ପୁଅ ହୋଇପାରିଥିବା ସୋନୁଙ୍କୁ, ପୂରା ବିଶ୍ୱ ବାଃ ବାଃ କରୁଛି । ଆଉ ସୋନୁଙ୍କ ଏଭଳି ନିସ୍ୱାର୍ଥପର ସେବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ତାଙ୍କୁ (SDG Special Humanitarian Action Award)ରେ ସମ୍ମାନିତ କରାଯାଇଛି ।

ବଲିଉଡର ବଦନାମ କାହାଣୀ ଭିତରେ, ସୋନୁ କିନ୍ତୁ ଏହା ପ୍ରମାଣିତ କରିଛନ୍ତି ଯେ, ଗୋଟିଏ ହାତର ୫ଟି ଆଙ୍ଗୁଳି ସମାନ ନୁହେଁ । ଯେତେବେଳେ ନିଶାରେ ଝୁମୁଛି ବଲିଉଡ୍, ଆଉ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ଡ୍ରଗ୍ସ ଲିଙ୍କରେ ଛନ୍ଦି ହୋଇ ବଦନାମ୍ ହୋଇଛନ୍ତି, ସେତେବେଳେ ସାରା ବିଶ୍ୱରୁ ବାଃ ବାଃ ସାଉଁଟୁଛନ୍ତି ଶ୍ରମିକଙ୍କ ସାକ୍ଷାତ ଭଗବାନ ସୋନୁ ସୁଦ୍ । ବଦନାମ୍ ବଲିଉଡର ଗୋଳିଆ ପାଣି ଭିତରେ ପଦ୍ମ ଫୁଲଟିଏ ହୋଇ ଫୁଟିଛନ୍ତି ସୋନୁ । ସେଇଥିପାଇଁ ତ ଆଗଧାଡିର ନାୟକ ନାୟିକା ଅପବାଦ ପାଇଥିବା ବେଳେ, ସୋନୁ ଆଜି ଭାରତକୁ ବିଶ୍ୱ ଦରବାରରେ ପ୍ରଂଶସିତ କରିଛନ୍ତି ।

ସ୍ୱାର୍ଥପର ଏ ସମାଜରେ ମାନବିକତାର ମନ୍ଦିର ସାଜିଥିବା ସୋନୁ, ଆଜି ପ୍ରତିଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି । ଲକଡାଉନ୍ ସମୟରେ ଦେଶର କୋଣ ଅନୁକୋଣରୁ ଯିଏ ଯେଉଁଠୁ ବି ସୋନୁଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛି, ଦେବଦୂତ ସାଜି ସବୁ ଦୁଃଖ ଦୂର କରିଦେଇଛନ୍ତି ସୋନୁ । ଶ୍ରମିକଙ୍କୁ ଘରେ ପହଂଚାଇବାଠାରୁ ଆରମ୍ଭ କରି, ଛାତ୍ରଛାତ୍ରୀଙ୍କୁ ସ୍କୋଲାରସିପ୍, ସ୍ମାର୍ଟ ଫୋନ୍, ପ୍ରବାସୀଙ୍କୁ ରୋଜଗାର ଏବଂ ଶତାଧିକ ଲୋକଙ୍କୁ ଚିକିତ୍ସା, ଘର, ଅର୍ଥ ଭଳି ସାହାଯ୍ୟ ଦେଇଛନ୍ତି ସୋନୁ ସୁଦ୍ । ଆଉ ଏଭଳି ନିସ୍ୱାର୍ଥପର ସେବା ପାଇଁ କେବଳ ଭାରତ ନୁହେଁ. ଆଜି ପୂରା ବିଶ୍ୱ ସୋନୁଙ୍କୁ ସଲାମ୍ କରୁଛି ।