କନକ ବ୍ୟୁରୋ : ସ୍ୱପ୍ନାଲି ସୂତାର । ମହାରାଷ୍ଟ୍ର ସିନ୍ଧୁଦୁର୍ଗର ଏକ ଛୋଟିଆ ଗାଁରେ ତାଙ୍କ ଘର । ପିଲାଟି ବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଆସୁଛନ୍ତି ସ୍ୱପ୍ନାଲି । ଆଉ ଏଥିପାଇଁ ସେ ଦିନରାତି ପରିଶ୍ରମ ମଧ୍ୟ କରୁଛନ୍ତି । ଏପରିକି ଯୁକ୍ତ୨ ପରୀକ୍ଷାରେ ସେ ୯୮ ପ୍ରତିଶତ ନମ୍ବର ମଧ୍ୟ ରଖିଛନ୍ତି ।

Advertisment

କିନ୍ତୁ ଗରିବ ଘରେ ଜନ୍ମ ହୋଇଥିବାରୁ ସ୍ୱପ୍ନାଲିଙ୍କ ପାଠପଢାରେ ଟଙ୍କା ବାଧକ ସାଜି ଆସିଛି । କରୋନା ମୁକାବିଲା ପାଇଁ ସ୍କୁଲ କଲେଜ ସବୁ ବନ୍ଦ ଥିବାରୁ ଏବେ ଅନଲାଇନରେ ଚାଲିଛି ପାଠପଢା । କିନ୍ତୁ ସ୍ୱପ୍ନାଲିଙ୍କ ପାଖରେ ନା ଭଲ ଫୋନଟିଏ ଅଛି, ନା ଗାଁରେ ନେଟୱାର୍କ ଅଛି । ପାଠ ପଢିବାକୁ ପ୍ରତିଦିନ ପାହାଡ ଚଢିବାକୁ ପଡୁଛି । କାହିଁକି ନା ପାହାଡ ଚଢିଲେ ହିଁ ନେଟୱାର୍କ ଆସିବ । ତେବେ ବର୍ଷାଦିନ ହୋଇଥିବାରୁ ପାହାଡ ଉପରେ ଏମିତି ଏକ କୁଡିଆ କରି ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ପାଠ ପଢିଥାନ୍ତି ସ୍ୱପ୍ନାଲି । ଜୀବନ ପ୍ରତି ସିନା ବିପଦ ରହିଛି କିନ୍ତୁ, ସ୍ୱପ୍ନ ପୂରଣ କରିବାକୁ ସବୁ କଷ୍ଟ ସହିଯାଉଛନ୍ତି ସ୍ୱପ୍ନାଲି ।

ସ୍ୱପ୍ନାଲିଙ୍କ ସ୍ୱପ୍ନ ପୂରଣ କରିବେ ସୋନୁ । ପୁଣି ହୃଦୟ ଜିଣିଲେ ହୃଦୟର ହିରୋ । ତେବେ ସ୍ୱପ୍ନାଲିଙ୍କ ସ୍ୱପ୍ନକୁ ସହଜ କରିବାକୁ, ଆଉ ଜଣେ ଗରିବ ଝିଅ ମୁହଁରେ ହସ ଫୁଟାଇବାକୁ ଆଗେଇ ଆସିଛନ୍ତି ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ଟ୍ୱିଟ୍ କରି ସୋନୁ ଲେଖିଛନ୍ତି, ଏହି ଭଉଣୀଙ୍କ ଠିକଣା ଦିଅନ୍ତୁ, ଖୁବ ଶୀଘ୍ର ତାଙ୍କ ଗାଁରେ ୱାଇଫାଇ ପହଂଚିଯିବ । ସ୍ୱପ୍ନାଲିଙ୍କ ପାଠ ପଢାରେ ଯେମିତି ଆଉ କଷ୍ଟ ନହେବ ସେଥିପାଇଁ ସାହାଯ୍ୟର ହାତ ବଢାଇଛନ୍ତି ଦୁଃଖି ଦରିଦ୍ରଙ୍କ ଦେବଦୂତ ସୋନୁ ସୁଦ୍ ।

କରୋନା କାଳରେ ହଜାର ହଜାର ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁଙ୍କୁ ଯିଏ ଯେଉଁଠୁ ବି ସାହାଯ୍ୟ ମାଗୁଛି, ତୁରନ୍ତ ସାଥୀ ସାଜି ପହଂଚିଯାଉଛନ୍ତି ସୋନୁ । ସତରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ସୋନୁ ସୁଦ୍ । ଗରିବ ଅସହାୟଙ୍କ ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ରିଲ୍ ଲାଇଫର ଏହି ଅଭିନେତା ଆଜି ପାଲଟିଯାଇଛନ୍ତି ରିଅଲ୍ ଲାଇଫର ହିରୋ । ଯିଏବି ସୋନୁଙ୍କ କାହାଣୀ ଶୁଣୁଛି, ସିଏ କହୁଛି ସଲାମ୍ ସୋନୁ ।