ପୁଣି ହୃଦୟ ଜିଣିଲେ ହୃଦୟର ହିରୋ । ଚାକିରି ଦେଇଥିଲେ, ଏବେ ଘର କରିଦେବେ । ବେସାହାରା ପ୍ରବାସୀ ଶ୍ରମିକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ୨୦ ହଜାର ଘର ତୋଳିଦେବେ ସୋନୁ ସୁଦ୍ ।

810

ବଡ଼ ଦିଲୱାଲା ସୋନୁ ସୁଦ୍…ଚାକିରି ସହ ଘର ବି ଦେବେ ।

କନକ ବ୍ୟୁରୋ : ସୋନୁ ସୁଦ୍ : ପ୍ରତିଟି ଭାରତୀୟଙ୍କ ହୃଦୟ ଭିତରେ ଏଇ ନାଁ ଏକ ଘରଟିଏ କରିସାରିଛି । ଅସହାୟଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ସୋନୁଙ୍କୁ ଯିଏ ଯେଉଁଠୁ ବି ସାହାଯ୍ୟ ପାଇଁ ଗୁହାରି କରୁଛି, ଦେବଦୂତ ସାଜି ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ଅସହାୟଙ୍କ ଅନ୍ନଦାତା । ଆଜି କୋଟି କୋଟି ଭାରତୀୟଙ୍କ ଭରସା ସାଜିଛନ୍ତି ସୋନୁ ସୁଦ୍ ।

ହଜାର ହଜାର ଚାକିରି ଦେଲେ, ମୁଣ୍ଡ ଗୁଞ୍ଜିବାକୁ ଘର କରିଦେବେ ହୃଦୟର ହିରୋ । କରୋନା ମୁକାବିଲା ପାଇଁ ଯେତେବେଳେ ସାରା ଦେଶରେ ସରକାର ଲକଡାଉନ୍ ଘୋଷଣା କଲେ, ସେତେବେଳେ ମାସ ମାସ ଧରି ଦେଶର କୋଣ ଅନୁକୋଣରେ ଫସିରହିଥିଲେ ଲକ୍ଷ ଲକ୍ଷ ଶ୍ରମିକ । ପାଖରେ ସଂଚିତ ଥିବା ଟଙ୍କା ସରିଯିବା ପରେ ଯେତେବେଳେ ଭୋକ ଓପାସରେ ଦିନ କଟୁଥିଲା, ଠିକ୍ ସେତିକି ବେଳେ ବିପଦ ବେଳର ବନ୍ଧୁ ସାଜି ଆଗେଇ ଆସିଥିଲେ ଅଭିନେତା ସୋନୁ ସୁଦ୍ । ମହାମାରୀ ମୁକାବିଲା ମଧ୍ୟରେ ଫଶିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିଥିଲେ ।

ତେବେ ଏତିକିରେ ସରିନି ସୋନୁଙ୍କ ମହାନତାର କାହାଣୀ । ପ୍ରବାସୀ ରୋଜଗାର ମିଶନ ମାଧ୍ୟମରେ ହଜାର ହଜାର ଶ୍ରମିକଙ୍କୁ ଚାକିରି ଦେଇଛନ୍ତି ସୋନୁ । ଆଉ ଏବେ ପ୍ରବାସୀଙ୍କ ପାଇଁ ପୁଣି ଆଣିଛନ୍ତି ଆଉ ଏକ ବଡ ଉପହାର । ଅସହାୟ ପ୍ରବାସୀ ଭାଇଭଉଣୀଙ୍କୁ ଏବେ ଘର ଯୋଗାଇଦେବେ ଶ୍ରମିକଙ୍କ ଭଗବାନ । ୨୦,୦୦୦ ଘର କରିଦେବା ନେଇ ଟ୍ୱିଟ୍ କରି ପ୍ରତିଶ୍ରୁତି ଦେଇଛନ୍ତି ସୋନୁ । ସେ ଲେଖିଛନ୍ତି, ଏବେ ଚାକିରି ସହ ଘର ଦେବା ପାଇଁ ମୁଁ ପ୍ରତିଶ୍ରୁତି ଦେଉଛି ।

ସତରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ସୋନୁ ସୁଦ୍ । ଗରିବ ଅସହାୟଙ୍କ ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ରିଲ୍ ଲାଇଫର ଏହି ଅଭିନେତା ଆଜି ପାଲଟିଯାଇଛନ୍ତି ରିଅଲ୍ ଲାଇଫର ହିରୋ । ସୋନୁ : ଏହି ନାଁ ଆଜି କୋଟି କୋଟି ଭାରତୀୟଙ୍କ ଭରସା ପାଲଟିଯାଇଛି ।