ଆପରେ ସାମିଲ ହେବେ କି ସୋନୁ ସୁଦ୍? ଆପ୍ ନେତାଙ୍କ ସହ ବୈଠକ ହୋଇଥିବା ସୂଚନା ।

141

କନକ ବ୍ୟୁରୋ : ଖୁବଶୀଘ୍ର ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନେଇ ଆସିପାରେ ବଡ ଖବର । ସୋନୁ ସୁଦ ଖୁବଶୀଘ୍ର ଆମ ଆଦମୀ ପାର୍ଟିରେ ସାମିଲ ହୋଇପାରନ୍ତି । ଆପର ସଦ୍ୟସତା ନେଇପାରନ୍ତି ସୋନୁ । ବୁଧବାର ସୋନୁଙ୍କ ସହ ଆପ ଦଳର ନେତାଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ ଦୈନିକ ଭାସ୍କର ଅନୁଯାୟୀ, ସୋନୁ ସୁଦ ଆପର ସଦସ୍ୟ ହୋଇପାରନ୍ତି । ଏପରିକି ସୋନୁଙ୍କୁ ଦଳରେ ସାମିଲ କରିବା ପାଇଁ ଦିଲ୍ଲୀରେ ଆପ୍ ନେତା ବୈଠକ କରିଥିବା ସୂଚନା ମିଳିଛି । ଆଉ ଏହି ବୈଠକରେ ଗୁଜୁରାଟର ଜଣେ ଜଣାଶୁଣା ବ୍ୟବସାୟୀ ସାମିଲ ହୋଇଥିବା କୁହାଯାଉଛି । ୨୦୨୨ରେ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବା ବେଳେ ସୋନୁଙ୍କୁ ନେଇ ଆସୁଥିବା ଏହି ଖବର ବେଶ ଗୁରୁତ୍ୱ ବହନ କରୁଛି ।

ଗତ କିଛି ଦିନ ପୂର୍ବେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ ସୋନୁ ସୁଦ । ଏପରିକି ଗତ ଅଗଷ୍ଟ ମାସରେ ଆପ୍ ଦଳ ପକ୍ଷରୁ ସୋନୁଙ୍କୁ ଦେଶ କି ମେଣ୍ଟର କାର୍ଯ୍ୟକ୍ରମର ପ୍ରଥମ ବ୍ରାଣ୍ଡ ଆମ୍ବାସଡର କରାଯାଇଥିଲା । ଏପରିକି ଅନେକ ସମୟରେ ସୋନୁଙ୍କ କାର୍ଯ୍ୟକୁ ପ୍ରଂଶସା କରି ଆସୁଥିଲେ କେଜ୍ରିୱାଲ । କରୋନା କାଳରେ ପ୍ରବାସୀ ଶ୍ରମ୍ରିକଙ୍କୁ ଘରେ ପହଞ୍ଚାଇବାକୁ ସୋନୁ ଯେଉଁଭଳି ପଦକ୍ଷେପ ନେଇଥିଲେ ତାହାକୁ ପ୍ରଂଶସା କରୁଥିଲେ କେଜ୍ରିୱାଲ ।

ଆପରେ ସୋନୁଙ୍କ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗତ କିଛି ଦିନ ତଳେ ସୋନୁଙ୍କ ଘର ଓ ଅଫିସରେ ଆୟକର ବିଭାଗ ଚଢାଉ କରିଥିଲା । ଆଉ ଏହି ଚଢାଉ ବେଳେ ସୋନୁ ୨୦ କୋଟିରୁ ଅଧିକ ଟଙ୍କାର ଆୟକର ଫାଙ୍କିଥିବା ନେଇ କୁହାଯାଇଥିଲା ।