ଆଉ ଟଙ୍କା ପାଇଁ ଅଟକିଯିବନି ଗରିବ ପିଲାଙ୍କ ପାଠପଢା । ଏଣିକି ଗରିବ କୁଡିଆରୁ ଡାକ୍ତର ବନିବାର ସ୍ୱପ୍ନ ହେବ ସତ, ୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଦେବେ ସୋନୁ ସୁଦ୍ ।

504

କନକ ବ୍ୟୁରୋ : ପିଲାଦିନେ ଆମେ ଅନେକ ସ୍ୱପ୍ନ ଦେଖିଥାଉ । କିଏ ବୈଜ୍ଞାନିକ ହେବାକୁ ଆଶା ରଖିଥାଏ ତ ଆଉ କିଏ ଡାକ୍ତର, ଇଞ୍ଜିନିୟର । ହେଲେ ଟଙ୍କା ଅଭାବରୁ ଅନେକ ମେଧାବୀ ଛାତ୍ରଙ୍କ ସ୍ୱପ୍ନ ପୂରା ହୋଇପାରେ ନାହିଁ । ଏବେ କିନ୍ତୁ ଟଙ୍କା ଅଭାବରୁ ଆଉ ପାଠପଢାରୁ କେହି ବଂଚିତ ହେବେ ନାହିଁ । ଗରିବ ପିଲାଙ୍କୁ ସାହା ହେବେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ ।

ପୂର୍ବରୁ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିଥିବା ସୋନୁ, ଏବେ ଛାତ୍ରବୃତି ଦେବାକୁ ବଡ ଘୋଷଣା କରିଛନ୍ତି । ଡାକ୍ତରୀ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀ ଏହାର ସୁବିଧା ଉଠାଇପାରିବେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ଲକ୍ଷ ଟଙ୍କାର ଛାତ୍ରବୃତି ଦିଆଯିବ, ଯାହା ସେମାନଙ୍କୁ ବିଦେଶରେ ଥିବା ବଡ ବଡ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢିବାକୁ ସାହାଯ୍ୟ କରିବ । ଏନେଇ ସୋନୁ ସୁଦ ନିଜ ଟୁଇଟର ଆକାଉଂଟ ଜରିଆରେ ବଡ ଘୋଷଣା କରିଛନ୍ତି ।

ଟୁଇଟ କରି ସୋନୁ ଲେଖିଛନ୍ତି, ‘ମୁଁ ଚାହେଁ ପ୍ରତ୍ୟେକ ଛାତ୍ରଛାତ୍ରୀ , ଯିଏ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି, ସେମାନେ ଡାକ୍ତର ହୁଅନ୍ତୁ । ମୁଁ ଏଠାରେ ସୋନୁଆଇଏସଏମ୍.ଓଆରଜି ୱେବସାଇଟର ଶୁଭାରମ୍ଭ କରୁଛି । ଆଇଏସଏମ୍ ଏଜୁକେଟ୍ ସହ ମିଶି ମୁଁ ମୋର ଛାତ୍ରବୃତି କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହା ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ । ଆସନ୍ତୁ ଏକ ସୁସ୍ଥ ରାଷ୍ଟ୍ର ଗଢିବା ବୋଲି କହିଛନ୍ତି ସୋନୁ ।

ଲକଡାଉନ ସମୟରେ ଶ୍ରମିକଙ୍କ ସାକ୍ଷାତ ଭଗବାନ ସୋନୁଙ୍କୁ, ଯିଏ ଯେଉଁଠୁ ବି ସାହାଯ୍ୟ ପାଇଁ ଗୁହାରି କରୁଛି, ଦେବଦୂତ ସାଜି ଆଗେଇ ଆସୁଛନ୍ତି ସୋନୁ ସୁଦ୍ । ଅନେକ ଅସହାୟଙ୍କ ପାଇଁ ଅନ୍ନଦାତା ସାଜିଥିବା ସୋନୁ ଦୁଃଖି ଦରିଦ୍ରଙ୍କ ଦେବଦୂତ ବି ପାଲିଟିଯାଇଛନ୍ତି । ଏଭଳି ଜଣେ ନିସ୍ୱାର୍ଥପର ମଣିଷଙ୍କୁ ଆମର ଶହେ ସଲାମ୍ ।