ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଭଜି ମାଗିଥିଲେ ସାହାଯ୍ୟ, ସହାୟତାର ହାତ ବଢାଇଲେ ହୃଦୟର ହିରୋ । ହରଭଜନଙ୍କ ପାଖରେ ରେମଡିସିଭିର ଇଞ୍ଜେକସନ୍ ପହଞ୍ଚାଇଦେଲେ ସୋନୁ ସୁଦ୍ ।

174

କନକ ବ୍ୟୁରୋ : ରାଇନାଙ୍କ ପରେ ହରଭଜନ । ସୋନୁ ଶୁଣିଲେ, ସାହାଯ୍ୟ କଲେ । ଭଜି ମାଗିଲେ ସାହାଯ୍ୟ, ଆଉ ସାହାଯ୍ୟର ହାତ ବଢାଇଲେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ପୁଣି ହୃଦୟ ଜିଣିଲେ ହୃଦୟର ହିରୋ । ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କୁ ସାହାଯ୍ୟର ହାତ ବଢାଇଲେ ସୋନୁ ସୁଦ୍ । ବିପଦ ବେଳର ବନ୍ଧୁ ସାଜି ଭଜିଙ୍କ ପାଖକୁ ପଠାଇଲେ ରେମଡିସିଭିର ଇଞ୍ଜେକସନ୍ ।

କରୋନାର ଦ୍ୱିତୀୟ ଲହର ସଂକ୍ରମଣ, ହୁ ହୁ ହୋଇ ବଢିଚାଲିଥିବା ବେଳେ, ଚିକିତ୍ସା ପାଇବା ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ଏଭଳି ସମୟରେ ବେଡ୍, ଅକ୍ସିଜେନ୍ ଆଉ ଔଷଧର ବି ଅଭାବ ଦେଖାଯାଉଛି । ତେବେ ଗତକାଲି କର୍ଣ୍ଣାଟକର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଇଁ ଏକ ରେମଡିସିଭିର ଇଞ୍ଜେକସନ୍ ଆବଶ୍ୟକ ଥିବା ଟ୍ୱିଟ୍ କରିଥିଲେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହ ।

ଆଉ ହରଭଜନଙ୍କ ଟ୍ୱିଟ୍ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଏହାର ଉତର ଦେଇଥିଲେ ସୋନୁ । ଆଉ କହିଥିଲେ ଆପଣଙ୍କ ପାଖରେ ରେମଡିସିଭିର ଇଞ୍ଜେକସନ୍ ପହଂଚିଯିବ । କିଛି ସମୟ ଭିତରେ ରୋଗୀଙ୍କ ପାଖରେ ଇଞ୍ଜେକସନ୍ ପହଂଚିଯାଇଥିଲା । ଆଉ ହୃଦୟର ହିରୋଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ ହରଭଜନ ସିଂହ । ଟ୍ୱିଟ୍ କରି ଲେଖିଛନ୍ତି, ମୋ ଭାଇ ସୋନୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଭଗବାନ ସୋନୁଙ୍କୁ ଅଧିକ ଶକ୍ତି ଦିଅନ୍ତୁ ଆଉ ଆଶୀର୍ବାଦ କରନ୍ତୁ ।

ସେହିପରି କିଛି ଦିନ ତଳେ ସୁରେଶ ରାଇନାଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ ସୋନୁ । ମେରଠରେ ଚିକିତ୍ସିତ ହେଉଥିବା ରାଇନାଙ୍କ ଆଣ୍ଟିଙ୍କୁ ଅକ୍ସିଜେନର ଆବଶ୍ୟକତା ଥିଲା । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା । ଏଥିପାଇଁ ରାଇନା ଟ୍ୱିଟ୍ କରି ଏକ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇଦେବାକୁ ସାହାଯ୍ୟ ମାଗିଥିଲେ । ଆଉ ରାଇନାଙ୍କ ପୋଷ୍ଟ ଦେଖିବା ପରେ ସାଙ୍ଗେ ସାଙ୍ଗେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ସୋନୁ । ଆଉ ୧୦ ମିନିଟ୍ ଭିତରେ ସୁରେଶ ରାଇନାଙ୍କ ଆଂଟିଙ୍କ ପାଖରେ ଅକ୍ସିଜେନ୍ ପହଂଚାଇଦେଇଥିଲେ ସୋନୁ ସୁଦ୍ ।

ସୋନୁ ସୁଦ, ଏବେ ଏହା କେବଳ ଏକ ନାଁ ନୁହେଁ, କୋଟି କୋଟି ଲୋକଙ୍କ ନିଶ୍ୱାସ, ବିଶ୍ୱାସ ଆଉ ହୃଦୟରେ ସାଇତା ହୋଇ ରହିଥିବା ସୁନ୍ଦର ସ୍ମୃତି ଟିଏ । ଗତ ୧୪ ମାସ ହେଲାଣି କଷ୍ଟ ଦେଇଚାଲିଛି କରୋନା । ଆଉ ସଙ୍କଟ ସମୟରେ ଅସହାୟ, ଦୁଃଖି ଦରିଦ୍ରଙ୍କ ଦେବଦୂତ ସାଜିଛନ୍ତି ସୋନୁ ସୁଦ୍ । ଦେଶର କୋଣ ଅନୁକୋଣରୁ ଯିଏ ଯେଉଁଠୁ ବି ସାହାଯ୍ୟ ମାଗୁଛି, ବିପଦ ବେଳର ବନ୍ଧୁ ସାଜି ସାହାଯ୍ୟର ହାତ ବଢାଉଛନ୍ତି ମହାମାରୀର ମସିହା ସୋନୁ ସୁଦ୍ । ସତରେ, ପରଦାର ଏହି ଖଳନାୟକ, ସତ ଜୀବନରେ କିନ୍ତୁ ନାୟକ ସାଜିଛନ୍ତି । ଆଉ ସେଇଥିପାଇଁ ତ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ହୃଦୟର ହିରୋ ସୋନୁ ସୁଦ୍ । ଆଉ ପୂରା ଦୁନିଆ ଆଜି ସୋନୁଙ୍କୁ ସାଲ୍ୟୁଟ୍ କରୁଛି ।