ବିହାରରୁ ଶୁଭିଲା ସାହାଯ୍ୟର ସ୍ୱର । ସୋନୁ ସୁଦ ବଢାଇଲେ ହାତ । କହିଲେ, ଭାବିନିଅ କାମ ହେଇଗଲା

199

କନକ ବ୍ୟୁରୋ : ବିହାରର ଜଣେ କୁନି ଛୁଆକୁ ସାହାଯ୍ୟ କରିବେ ସୋନୁ ସୁଦ । କୁନି ଛୁଆଟିର ହାର୍ଟରେ ହୋଲ ଥିବାରୁ ଅପରେସନ କରିବା ନିହାତି ଆବଶ୍ୟକ ବୋଲି ଡକ୍ଟର କହିଥିଲେ । ହେଲେ ଅପରେସନ ପାଇଁ ବହୁତ ଟଙ୍କା ଆବଶ୍ୟକ ପଡିଥିଲା । ସ୍ଥାନୀୟ ଅଞ୍ଚଳର କିଛି ଲୋକ ୨୫ ହଜାର ଟଙ୍କା ଆଦାୟ କରିଦେଇଥିଲେ, ହେଲେ ଆହୁରି ଟଙ୍କା ଆବଶ୍ୟକ ପଡିବାରୁ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ ।

ଖବର ପାଇବା ପରେ ସଙ୍ଗେ ସଙ୍ଗେ ଆଗେଇ ଆସିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ଗରିବଙ୍କ ଭଗବାନ କୁହାଯାଉଥିବା ସୋନୁ ସୁଦ ଏବେ ପୁଣି ଗରିବଙ୍କ ସହ ଛିଡା ହୋଇଛନ୍ତି । ତାଙ୍କର ଏଭଳି ସାହାଯ୍ୟ କରିବାର ମନୋବୃତ୍ତି ତାଙ୍କୁ ସାଧାରଣ ଲୋକଙ୍କ ମଧ୍ୟରେ ଭବାଗନଙ୍କ ସ୍ଥାନ ଦେଇଛି ।

ଧିରଜ କୁମାର ନାମକ ଜଣେ ଟ୍ୱିଟର ୟୁଜର ସୋନୁଙ୍କୁ ଟ୍ୱିଟ କରି ସାହାଯ୍ୟ ପାଇଁ କହିଥିଲେ । ସେ ଟ୍ୱିଟ କରି ଲେଖିଥିଲେ, ସୋନୁ ସାର ଏହି ଛୁଆଟିର ହାର୍ଟରେ ହୋଲ ଅଛି । ଆମେ ସବୁ ଆଦାୟ କରି ୨୫ ହଜାର ଟଙ୍କା ଦେଇଛୁ । ଏବେ ଆପଣ ହେଉଛନ୍ତି ଆମ ଶେଷ ଆଶା । ଅପରେସନ ପାଇଁ ବାଙ୍ଗାଲୋରରେ ଏକ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ । ଏହି ଟ୍ୱିଟ ପାଇବା ପରେ ସୋନୁ ସଙ୍ଗେ ସଙ୍ଗେ ଉତ୍ତର ଦେଇ କହିଲେ । ଭାବିନିଅ କାମ ହୋଇଗଲା ।

ସବୁଠାରୁ ବଡ କଥା ହେଉଛି ବିହାରରେ ନିର୍ବାଚନ ଚାଲିଥିବା ବେଳେ ନେତାମାନେ ଘର ଘର ଯାଇ ଭୋଟ ମାଗୁଛନ୍ତି । ପୁଳା ପୁଳା ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି ହେଲେ ଏହି ଛୋଟ ଛୁଆଟି ଚିକିତ୍ସା ଉପରେ କାହାର ବି ଆଖି ପଡିନାହିଁ । ଏହା ମଧ୍ୟରେ ସୋନୁ ସୁଦଙ୍କ ଏଭଳି କାମ ଏବେ ଚର୍ଚ୍ଚାର ପରିସରକୁ ଆସିଛି ।

ସୋନୁ ସୁଦଙ୍କୁ ନେଇ ଏହି ଖବର ନୂଆ ନୁହେଁ । ସୋନୁ ସୁଦ ପୂର୍ବରୁ ମଧ୍ୟ ଏଭଳି ଅନେକ କାମ କରିଛନ୍ତି , ଯାହା ତାଙ୍କୁ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି । ଲକଡାଉନ ସମୟରେ ପ୍ରବାସୀମାନଙ୍କୁ ବସ କରି ଘରକୁ ପଠାଇ ସେ ତାଙ୍କ ସାହାଯ୍ୟ କରିବାର ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଗରିବ ଲୋକଙ୍କୁ ଚିକିତ୍ସା ଓ ପାଠ ପଢାରେ ସହାଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି ।