ପ୍ରେମିକା ପାଇଁ ହୃଦୟର ହିରୋଙ୍କୁ ଆଇଫୋନ୍ ମାଗିଲେ ପ୍ରେମିକ । ଏମିତି ମଜାଳିଆ ଉତ୍ତର ଦେଲେ ସୋନୁ ସୁଦ୍ ।

300

କନକ ବ୍ୟୁରୋ : ପ୍ରେମିକାଙ୍କ ପାଇଁ ସୋନୁଙ୍କୁ ଆଇଫୋନ୍ ମାଗିଲେ ପ୍ରେମିକ । ମଜାଳିଆ ଉତ୍ତର ଦେଲେ ହୃଦୟର ହିରୋ । ଦେଶରେ କରୋନା ମହାମାରୀ ପାଦ ଦେବା ଦିନରୁ, ମସିହା ହୋଇ ସାମ୍ନାକୁ ଆସିଛନ୍ତି ହୃଦୟର ହିରୋ ସୋନୁ ସୁଦ୍ । କେବଳ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇଆଣି ସେ ଶ୍ରମିକଙ୍କ ଭଗବାନ ସାଜିନାହାନ୍ତି, ବରଂ ଦୁଃଖି ଦରିଦ୍ରଙ୍କ ଦେବଦୂତ ସାଜି ସାହାଯ୍ୟ ଚାହୁଁଥିବା ବ୍ୟକ୍ତିଟିଏ ପାଖରେ ବିପଦବେଳର ବନ୍ଧୁ ହୋଇ ଠିଆ ହୋଇଛନ୍ତି । ଏବେବି ସୋନୁଙ୍କୁ ପ୍ରତିଦିନ ସାହାଯ୍ୟ ପାଇଁ ଅନେକ ଗୁହାରି ମିଳୁଥିବା ବେଳେ, ଏହି ଲିଷ୍ଟରେ ଯୋଡି ହୋଇଛନ୍ତି ଜଣେ ପ୍ରେମିକ ।

ସାହାଯ୍ୟର ସାକ୍ଷାତ ଭଗବାନଙ୍କୁ ଆଇଫୋନ୍ ମାଗିଛନ୍ତି ଜଣେ ଯୁବକ । ଟ୍ୱିଟ୍ କରି ନିଜ ପ୍ରେମିକାଙ୍କ ପାଇଁ ସୋନୁ ସୁଦକୁ ଏକ ଆଇଫୋନ୍ ମାଗିଲେ ପ୍ରେମିକ । ଏହି ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଇଞ୍ଜିନିୟର ଲଡକା ନାମକ ଏହି ଟ୍ୱିଟର ପେଜରୁ ସୋନୁ ସୁଦଙ୍କୁ ଟ୍ୟାଗ କରାଯାଇ ଏହି ଟ୍ୱିଟ୍ କରାଯାଇଛି । ଯେଉଁଥିରେ ଲେଖାଯାଇଛି, ସୋନୁ ଭାଇ, ମୋ ଗର୍ଲଫ୍ରେଣ୍ଡ ଆଇଫୋନ୍ ମାଗୁଛି, କିଛି ହୋଇପାରିବ ?

ଏହି ଟ୍ୱିଟଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବା ପରେ ଟ୍ୱିଟ କରି ଏହାର ଉତର ଦେଇଛନ୍ତି ହୃଦୟର ହିରୋ । ମଜାଳିଆ ଉତର ଦେଇ ସୋନୁ ଲେଖିଛନ୍ତି, ତାଙ୍କ କଥା ଜଚ୍ଚା ନାହିଁ, ଯଦି ଆଇଫୋନ୍ ଦେବି, ତେବେ ତୁମର କିଛି ରହିବନି । ଏହା ସହ ଏକ ହସୁଥିବା ଇମୋଜି ମଧ୍ୟ ସେୟାର କରିଛନ୍ତି ସୋନୁ । ଏହି ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି ।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାହାଯ୍ୟ ପାଇଁ ସୋନୁଙ୍କୁ ପ୍ରତିଦିନ ପାଖାପାଖି ୫୦ ହଜାର କଲ୍ ଆସୁଛି । କେଉଁଠି ହସ୍ପିଟାଲରେ ବେଡ୍ ଖଣ୍ଡିଏ ପାଇଁ, କେଉଁଠି ଅକ୍ସିଜେନ୍ ତ ଆଉ କେଉଁଠି ଔଷଧ । ଅସହାୟଙ୍କ ଅନ୍ନଦାତା ସାଜି ଦିନର ୨୪ ଘଂଟା ଭିତରୁ ୨୨ ଘଂଟା ଧରି କାମ କରୁଛନ୍ତି ସୋନୁ । ଦେଶର କୋଣ ଅନୁକୋଣରୁ ଯିଏ ଯେଉଁଠୁ ବି ସାହାଯ୍ୟ ମାଗୁଛି, ବିପଦ ବେଳର ବନ୍ଧୁ ସାଜି ସାହାଯ୍ୟର ହାତ ବଢାଉଛନ୍ତି ମହାମାରୀର ମସିହା ସୋନୁ ସୁଦ୍ ।

ପରଦାର ଏହି ଖଳନାୟକ, ସତ ଜୀବନରେ କିନ୍ତୁ ନାୟକ ସାଜିଛନ୍ତି । ଆଉ ସେଇଥିପାଇଁ ତ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ହୃଦୟର ହିରୋ ସୋନୁ ସୁଦ୍ । ଆଉ ପୂରା ଦୁନିଆ ଆଜି ସୋନୁଙ୍କୁ ସାଲ୍ୟୁଟ୍ କରୁଛି ।