ଆଇଏଏସ୍ ଆଶାୟୀଙ୍କୁ ସାହାଯ୍ୟ କରିବେ ସୋନୁ ସୁଦ୍ । ମାଙ୍କ ନାଁରେ ଆରମ୍ଭ କଲେ ସ୍କଲାରସିପ ସ୍କିମ୍ ।

221

କନକ ବ୍ୟୁରୋ : ସୋନୁ ତମେ ମଣିଷ ନା ଭଗବାନ ? ଏଭିଳି ଏକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କାରଣ ଗତ କିଛି ଦିନ ହେବ ବଲିଉଡ ଅଭିନେତା ସୋନୁ ସୁଦ ଯେଉଁଭଳି ଲୋକଙ୍କୁ ସହାୟତା କରୁଛନ୍ତି । ଏଭଳି ପ୍ରଶ୍ନ ମନରେ ଆସିବା ସ୍ୱାଭାବିକ । ଏବେ ସେ ପୁଣି ତାଙ୍କ ସହାୟତାର ହାତ ବଢାଇଛନ୍ତି । ଆଇଏଏସ ଆଶାୟୀ ଛାତ୍ରଛାତ୍ରୀଙ୍କୁ ସୋନୁ ଦେବେ ସ୍କଲାରସିପ ।

ସମସ୍ତେ ପଢିବେ, କେହି ନ ଅନୁଭବ କରିବେ ଶିକ୍ଷାର ଅଭାବ । ଏଭଳି ଲକ୍ଷ୍ୟ ରଖି ଆଗେଇ ଚାଲିଛନ୍ତି ସୋନୁ ସୁଦ୍ । କେବଳ ଏହା ନୁହେଁ ପୂର୍ବରୁ ମଧ୍ୟ ସୋନୁ ଏକ ବିଶ୍ୱବିଦ୍ୟାଳୟସହ ମିଶି ଗରିବ ପିଲାଙ୍କୁ ଶିକ୍ଷାଦାନ ଦେବାର ଦାୟିତ୍ୱ ନେଇଥିଲେ । ତାଙ୍କର ଏହି କାମ ପାଇଁ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ତେବେ ଏହି ପ୍ରେରଣ ସୋନୁଙ୍କୁ ତାଙ୍କ ମାଙ୍କଠାରୁ ମିଳିଛି ଯିଏକି ବିନା ଫିସରେ ପିଲାଙ୍କୁ ଶିକ୍ଷା ଦେଉଥିଲେ । ବର୍ତ୍ତମାନ ନିଜ ମାଙ୍କ ଏହି ସ୍ୱପ୍ନକୁ ପୂରା କରିବେ ସୋନୁ । ସୋନୁ ସୁଦ ତାଙ୍କ ମାଙ୍କ ନାଁରେ ଆରମ୍ଭ କରିଛନ୍ତି ପ୍ରଫେସର ସରୋଜ ସୁଦ ସ୍କଲାରସିପ ।

ଏନେଇ ସେ ଟ୍ୱିଟ୍ କରି ନିଜ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ଅକ୍ଟୋବର ୧୩ରେ ମୋ ମାଙ୍କର ୧୩ ତମ ଶ୍ରାଦ୍ଧବାର୍ଷିକୀ । ନିଧନ ପରେ ସେ ଶିକ୍ଷାର ଏକ ବିଶାଳ ସାମ୍ରାଜ୍ୟକୁ ଛାଡି ଦେଇଯାଇଛନ୍ତି । ଆଜି ତାଙ୍କ ପୂଣ୍ୟ ତିଥିରେ ମୁଁ ଶପଥ କରୁଛି କି ପ୍ରଫେସର ସରୋଜ ସୁଦ ସ୍କଲାରସିପ ମାଧ୍ୟମରେ ମୁଁ ଆଇଏଏସ ଆଶାୟୀଙ୍କୁ ସାହାଯ୍ୟ କରିବି ।

ଲକଡାଉନ ବେଳେ ପ୍ରବାସୀଙ୍କୁ ସାହା ଯ୍ୟ କରି ସୋନୁ ଚର୍ଚ୍ଚାକୁ ଆସିଥିଲେ । ଏହାପରଠୁ ଆରମ୍ଭ ହୋଇଥିଲା ତାଙ୍କ ସାହାଯ୍ୟ କରିବାର ଅଭିଯାନ । ଏଭଳି କାମ ପାଇଁ ସୋନୁ ଏବେ ଗରିବଙ୍କ ପାଇଁ ପାଲଟିଛନ୍ତି ଭଗବାନ । ସ୍ୱାସ୍ଥ୍ୟ ହେଉ କିମ୍ବା ଶିକ୍ଷାର ଅଭାବ ସେ ଏବେ ଗରିବଙ୍କୁ କରୁଛନ୍ତି ସାହାଯ୍ୟ । ପୂର୍ବରୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସମସ୍ୟାରେ ଜଡିତ ଥିବା ଲୋକଙ୍କୁ ସୋନୁ ସାହାଯ୍ୟ କରିଥିବା ନଜର ଆସିଛନ୍ତି ।