ଆଉ କେହି ରହିବେନି ବେରୋଜଗାର । ବେକାରୀଙ୍କୁ ଚାକିରି ଦେବେ ସୋନୁ ସୁଦ । ଲକ୍ଷେ ଲୋକଙ୍କୁ ଚାକିରି ଦେବାକୁ ସୋନୁଙ୍କ ନୂଆ ଅଭିଯାନ

264

କନକ ବ୍ୟୁରୋ : ସୋନୁ ସୁଦ୍ କେବଳ ଗୋଟିଏ ନାଁ ନୁହେଁ… ଗରିବ ଓ ଅସହାୟ ଲୋକଙ୍କ ପାଇଁ ଜେଣେ ସାକ୍ଷାତ ଦେବତା । ଅସୁବିଧାରେ ପଡି ଥରେ ଡାକିଦେଲେ ଭଗବାନ ଓ… କଲାଭଳି ସୋନୁ ବି ଅନେକ ଅସହାୟଙ୍କ ଦୁଃଖ ବୁଝିଛନ୍ତି । ସେଥି ପାଇଁ ସୋନୁଙ୍କୁ କିଏ ଗରିବଙ୍କ ମସିହା କୁହନ୍ତି ତ, ଆଉ କିଏ ସୋନୁଙ୍କୁ ସଂକଟରେ ପଡିଥିବା ଲୋକଙ୍କ ସଂକଟମୋଚନ ବୋଲି କୁହନ୍ତି । ଏବେ ସୋନୁ ଆଉ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଏକ ଲକ୍ଷ ବେରୋଜଗାର ଲୋକଙ୍କୁ ରୋଜଗାର ଦେବାକୁ ପଣ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସୋନୁଙ୍କ ଏହି ପ୍ଲାନ୍ ବିସୟରେ ।


ସୋନୁ ତାଙ୍କ ଟ୍ୱିଟର ପେଜରେ ଟ୍ୱିଟ୍ କରି ଲେଖିଛନ୍ତି, ନୂଆ ବର୍ଷ… ନୂଆ ଆଶା… ନୂଆ ଚାକିରିର ଅବସର… ଆଉ ଏହି ଅବସରକୁ ଆପଣଙ୍କ ପାଖରେ ପହଞ୍ଚାଇବି ମୁଁ… ଆଉ କେହି ରହିବେନି ବେରୋଜଗାର । ରୋଜଗାରର ରାହା ଦେଖାଇବ ‘ଗୁଡ-ୱାର୍କର’ । ଆଜି ହିଁ ‘ଗୁଡ-ୱାର୍କର’ ଆପଲିକେଶନକୁ ଡାଉନଲୋଡ କରନ୍ତୁ ଆଉ ଆପଣଙ୍କ ଭବିଷ୍ୟତ ଉଜ୍ଜଳ କରନ୍ତୁ । ଟ୍ୱିଟ୍ ମାଧ୍ୟମରେ ସୋନୁ ଏକ ଲକ୍ଷ ଲୋକଙ୍କୁ ଚାକିରି ଦେବାର ଘୋଷଣା କରିବା ସହ ଆଗକୁ ୧୦ କୋଟି ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ଯୋଜନା ରଖିଛନ୍ତି । ସୋନୁ ସୁଦଙ୍କ ଏହି ଘୋଷଣା ପରେ ଅନେକ ଲୋକଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଖେଳିଯାଇଛି ।
ତେବେ ସୋନୁଙ୍କ ଏହି ଯୋଜନାରେ ପୂର୍ବରୁ ୧ଲକ୍ଷ ୨୦ହଜାର ୫୨ଜଣ ଲୋକ ଚାକିରି ପାଇସାଥିବା ବେଳେ ଏବେ ଆଉ ୧ଲକ୍ଷ ଲୋକଙ୍କୁ ଏହି ଯୋଜନା ମାଧ୍ୟମରେ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ ଲକଡାଉନ୍ ପାଇଁ ଯେତେବେ ଲୋକମାନେ ହନ୍ତସନ୍ତ ହେଉଥିଲେ, ସେତେବେଳେ ରିଲ ଲାଇଫର ହିରୋ ଗରିବ ଆଉ ଅସହାୟଙ୍କୁ ସାହା ହୋଇ ବନିଯାଇଥିଲେ ରିୟଲ ଲାଇଫ୍ ହିରୋ । ସେବେଠାରୁ ସୋନୁ ସମସ୍ତଙ୍କ ପାଇଁ ସଂକଟ ମୋଚନ ସାଜିଛନ୍ତି । ଘର ନଥିବା ଲୋକଙ୍କୁ ଘର କରେଇ ଦେଇଛନ୍ତି । ବିଲରେ ଖଟୁଥିବା ଗରିବ ଚାଷୀଙ୍କୁ ଟ୍ରାକ୍ଟର କିଣି ଦେଇଛନ୍ତି । ନିକଟରେ ଉତ୍ତରପ୍ରଦେଶର ଏକ ଗାଁରେ ନଳକୂପ ବସାଇ ବହୁ ଦିନର ଜଳ ସଂକଟକୁ ଦୂର କରି, ପୂରା ଗାଁ ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି । ଆଉ ଏବେ ସୋନୁଙ୍କ ବେରୋଜଗାରିଙ୍କୁ ରୋଜଗାର ଦେବା ଯୋଜନା କେତେ ଦୂର ସଫଳ ହେଉଛି ଏବଂ କେତେ ଲୋକ ଏହାଦ୍ୱାରା ଉପକୃତ ହେଉଛନ୍ତି ତା’ଉପରେ ରହିବ ସମସ୍ତଙ୍କ ନଜର