ପାଠ ପଢିବାକୁ ଯାଇ ଆମେରିକାରେ ଫସିଛନ୍ତି ଶହେ ଛାତ୍ରଛାତ୍ରୀ । ଘରକୁ ଫେରିବାକୁ ସୋନୁଙ୍କୁ କଲେ ଗୁହାରୀ । ସୁଦୂର ବିଦେଶରୁ ଭାରତକୁ ଫେରାଇଆଣିବେ ବୋଲି କଥା ଦେଲେ ସୋନୁ

296

କନକ ବ୍ୟୁରୋ: ସୋନୁ, ଅସହାୟଙ୍କ ଅନ୍ନଦାତା, ଶ୍ରମିକଙ୍କ ସାକ୍ଷାତ ଭଗବାନ ଆଉ ଦୁଃଖୀ ଦରିଦ୍ରଙ୍କ ଦେବଦୂତ । ମହାମାରୀ ସମୟରେ ମଣିଷପଣିଆର ମନ୍ଦିର ପାଲଟିଥିବା ସୋନୁ ସୁଦଙ୍କର ଏମିତି ଅନେକ ରୂପ ଦେଖିଆସୁଛି ଦେଶ । ଯିଏ ଯେଉଁଠିବି ସୋନୁଙ୍କୁ ନିଜ ସଂଘର୍ଷ ଜଣାଉଛି, ଦେବଦୂତ ସାଜି ଦୁଃଖ ଶୁଣୁଛନ୍ତି ସୋନୁ । ଆଉ ଏବେ ସୋନୁଙ୍କ ମହାନତାର ଆଉ ଏକ କାହାଣୀ ସାମ୍ନାକୁ ଆସିଛି ।

କରୋନା ମହାମାରୀ ସହ ପୂରା ବିଶ୍ୱ ଲଢେଇ କରୁଛି । ଆଉ ଏହାର ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ବିଭିନ୍ନ ଦେଶ । ଯାହାର ପ୍ରଭାବରେ ଅନେକ ସ୍ଥାନରେ ଅନ୍ତର୍ଜାତୀୟ ବିମାନବନ୍ଦର ଗୁଡିକୁ ବନ୍ଦ ରଖାଯାଇଛି । ଯେଉଁଥିପାଇଁ ଡାକ୍ତରୀ ପଢିବାକୁ ଆମେରିକା ଯାଇଥିବା ପାଖାପାଖି ୧୦୦ଜଣ ଛାତ୍ରଛାତ୍ରୀ ଦକ୍ଷିଣ ଆମେରିକାର ଗୁୟାନା ସହରରେ ଫସିରହିଛନ୍ତି । ଏନେଇ ଟ୍ୱିଟ୍ କରିଛନ୍ତି ସେଠାରେ ଫସିରହିଥିବା ଜଣେ ଛାତ୍ରୀ ପ୍ରତିକସା ସିଂଗ୍ରୁ ।

ତେବେ ଏହି ଟ୍ୱିଟକୁ ପଢିବା ପରେ ସାହଯ୍ୟର ହାତ ବଢାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ସୋନୁ ଲେଖିଛନ୍ତି, ଏବେ ନୂଆ ଦେଶ, ନୂଆ ଲକ୍ଷ୍ୟ, ଆପଣମାନେ ସମସ୍ତେ ଖୁବଶୀଘ୍ର ଘରକୁ ଫେରିବେ ।

ଦେଶର କୋଣ ଅନୁକୋଣରୁ ଯେଉଁଠି ବି ସୋନୁଙ୍କ କାନରେ କାହା କଷ୍ଟ ପଡୁଛି, ସାଙ୍ଗେ ସାଙ୍ଗେ ସେ ସାହା ହେଉଛନ୍ତି । ସତରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ସୋନୁ ସୁଦ୍ । ଗରିବ ଅସହାୟଙ୍କ ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ରିଲ୍ ଲାଇଫର ଏହି ଅଭିନେତା ଆଜି ପାଲଟି ଯାଇଛନ୍ତି ରିଅଲ୍ ଲାଇଫର ହିରୋ ।